ପ୍ରଶାସନ ପକ୍ଷରୁ ସାମୟିକ ବାତ୍ୟା ଆଶ୍ରୟ ସ୍ଥଳୀ ଅନୁଧ୍ୟାନ କଲେ ତହସିଲଦାର

ବାରିକପୁର,ଏନ୍ଏନ୍ଏସ୍: ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ଖୋଲା ଯାଇଥିବା ସାମୟିକ ବାତ୍ୟା ଆଶ୍ରୟସ୍ଥଳକୁ ଆଜି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଅନୁଧ୍ୟାନ କରିଛନ୍ତି। ମଣିନାଥପୁର ଓ ଜଳହରି ବାତ୍ୟା ଆଶ୍ରୟସ୍ଥଳୀକୁ ତହସିଲଦାର ଗସ୍ତ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ସ୍ଥାନୀୟ ସରପଞ୍ଚମାନଙ୍କ ସହିତ ବାତ୍ୟା ୟାସ ସମ୍ପର୍କରେ ଆଲୋଚନା କରି ଅତ୍ୟନ୍ତ ବିପଦ ସଂକୁଳ କଚ୍ଚା ଗୃହରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକର ନପଙ୍ଗ, ମାଳଦା, ରହଣିଆ, ସରସଦା, କୁରିଗାଁ ପ୍ରମୁଖ ପଞ୍ଚାୟତ ଅଧୀନରେ ଖୋଲା ଯାଇଥିବା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀକୁ ତହସିଲଦାର ବୁଲି ଦେଖିଥିଲେ। ସେହିଭଳି ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହା ସହିତ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ସରପଞ୍ଚ ମାନଙ୍କ ସହିତ ବାତ୍ୟା ୟାସର ସଫଳ ମୁକାବିଲା ପାଇଁ ଆଲୋଚନା କରିଥିବା ଜଣାପଡ଼ିଛି।

ସେହିପରି ବାତ୍ୟା ୟାସକୁ ଆଖିଆଗରେ ରଖି ଆଜି ଭଣ୍ଡାରିପୋଖରୀ ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ(ଏନଡିଆରଏଫ) ଦଳ ଭଣ୍ଡାରିପୋଖରୀ ଠାରେ ପହଞ୍ଚିଛନ୍ତି। ଆଜି ସକାଳୁ ୧୬ ଜଣିଆ ଏନଡିଆରଏଫ ଟିମ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ୟାସ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଥିଲେ। ବାତ୍ୟାବେଳେ ବ୍ଲକ ଅଞ୍ଚଳରେ କୌଣସି ଜାଗାରେ ଗଛ ଭାଙ୍ଗିବା କିମ୍ବା ଘର ଭାଙ୍ଗିବା ଦେଖାଦେଲେ ଏନଡିଆରଏଫ ଟିମ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।