ବାତ୍ୟା ସମୟରେ ପକ୍ଷୀଙ୍କ ବସା ତିଆରି କଲେ ଜ୍ୟୋତିଶଙ୍କର

ବାରିକପୁର,ଏନ୍ଏନ୍ଏସ୍: କଥାରେ ଅଛି ବାଇ ଚଢ଼େଇର କି ଅବା ଯାଏ ବସା କଲେ ବାଃ ଦୋହଲୁ ଥାଏ। ସୁତରାଂ ଝଡି ବର୍ଷା ଆସିଲେ ବସା ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ଥିଲେ ସୁଦ୍ଧା ପକ୍ଷୀଟିଏ କିନ୍ତୁ ଏଥିରେ ନଜର ଦେଇନଥାଏ। ନୀଳ ଆକାଶରେ ବୁଲୁଥିବା ଚଢ଼େଇଟିଏ ତାର ବିଶ୍ରାମ ସ୍ଥଳୀ ବୃକ୍ଷ ହିଁ ଜାଣି ବସା ତିଆରି କରିଥାଏ। ନିଜେ ଓ ନିଜ ଛୁଆଙ୍କ ସୁରକ୍ଷା ପାଇଁ ହେଲେ ପ୍ରକୃତିର ତାଣ୍ଡବ ଆଗରେ ସେହି ଚଢେଇ ବସା ବି ମାଟିରେ ମିଶିଯାଏ। ଏମିତି ଏକ ସମୟରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସ୍ୱେଚ୍ଛାସେବୀ ଜ୍ୟୋତିଶଙ୍କର।

ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ସରପଦା ଗ୍ରାମର ଜ୍ୟୋତିଶଙ୍କର ପଣ୍ଡା ଓ ତାଙ୍କ କନ୍ୟା ମମାଲି ଚଳିତ ଗ୍ରୀଷ୍ମ ପ୍ରବାହ ବେଳେ ପକ୍ଷୀମାନଙ୍କ ପାଇଁ ଗଛ ଡାଳରେ ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ବାପ ଝିଅ ଦୁହେଁ ଏଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏବେ ବାତ୍ୟା ୟାସ ଆସିବାରୁ ଜ୍ୟୋତି ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ନିଜ ଗାଁ ପାଖ କିଛି ବୃକ୍ଷରେ ପକ୍ଷୀମାନଙ୍କ ପାଇଁ କିଛି ଅସ୍ଥାୟୀ ବସା ତିଆରି କରିଛନ୍ତି। ଗଛ ଡାଳରେ ଜାର ଲଗାଇ ସେଥିରେ କୁଟା ଓ କାଠିକୁ ରଖି ଅତି ଯତ୍ନର ସହିତ ପକ୍ଷୀଙ୍କ ବସା ତିଆରି କରିଛନ୍ତି।

ପବନ ବେଳେ ପକ୍ଷୀ ସହିତ ଛୋଟ ଶାବକ ଓ ଅଣ୍ଡା ଗୁଡିକ ଯେଭଳି ସୁରକ୍ଷିତ ରହିବ ସେଥିପାଇଁ ବସାକୁ ଶକ୍ତ ମଧ୍ୟ କରିଛନ୍ତି। ପାଖାପାଖି ୧୦ଟି ଗଛରେ ଜ୍ୟୋତିଶଙ୍କର ବସା ତିଆରି କରି ସେଗୁଡିକ ଦେଖାଶୁଣା କରୁଛନ୍ତି। ଅତ୍ୟଧିକ ପବନ ଆରମ୍ଭ ହେବା ପୂର୍ବରୁ ଆହୁରି କିଛି ଗଛରେ ବସା ତିଆରି କରିବେ ବୋଲି ସେ କହିଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି।