ବାତ୍ୟା ପାଇଁ ପାଟଣାରେ ଖୋଲିଲା ୨ଟି ଅସ୍ଥାୟୀ ଆଶ୍ରୟ ସ୍ଥଳ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଝଡ଼ ‘ୟାସ’କୁ ନେଇ ୨ଟି ଅସ୍ଥାୟୀ ଆଶ୍ରୟ ସ୍ଥଳ ଖୋଲାଯାଇଛି। ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଏବଂ ଭାଳିଆଡ଼ାଳ ବିଦ୍ୟାଳୟରେ ବାତ୍ୟା ଆଶ୍ରୟ ସ୍ଥଳ ଖୋଲାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିର ନିର୍ଦ୍ଦେଶ ଅନୁଯାୟୀ କଚାଘରେ ରହୁଥିବା ଲୋକଙ୍କୁ ଏହି ୨ଟି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସୁଧା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଆଶ୍ରୟ ସ୍ଥଳରେ ୨୬ ଜଣକୁ ଥଇଥାନ କରାଯାଇଛି। ସେହିପରି ଭାଳିଆଡ଼ାଳ ପ୍ରାଥମିକ ବିଦ୍ୟାଳୟରେ ୯୭ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅଣାଯାଇ ଥଇଥାନ କରାଯାଇଛି। ଏଥିସହିତ ଆଶ୍ରୟ ସ୍ଥଳରେ ରହୁଥିବା ଲୋକଙ୍କୁ ବ୍ଲକ ପ୍ରଶାସନ ତରଫର ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପାଟଣା ତହସିଲଦାର କହିଛନ୍ତି। ଅନ୍ୟପଟେ ବାତ୍ୟା ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସହ କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି। ଅତି ଜରୁରୀ ଔଷଧ ମେଡିକାଲରେ ମହଜୁଦ ରଖାଯାଇଥିବା ଜଣାପଡ଼ିଛି। ଜିଲ୍ଲାର ଅନ୍ୟ ବ୍ଲକରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ମା’ ଗୃହକୁ ସ୍ଥାନାନ୍ତର କରାଯାଉଥିବାବେଳେ ପାଟଣା ବ୍ଲକରେ ଏପର୍ଯ୍ୟନ୍ତ କୌଣସି ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇ ନଥିବା ଜଣାପଡ଼ିଛି।