କରୋନାରେ ମୃତ ବ୍ୟକ୍ତିର ଶବଦାହ ପାଇଁ ଭୟରେ ଆସିଲେନି ପରିବାର ଓ ଗ୍ରାମବାସୀ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ପାଇକ ନଗର ଗ୍ରାମର କେଶବ ଅମାନ୍ତଙ୍କ ପୁଅ ଅଭିଳାଶ ଅମାନ୍ତ (୨୩) ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। ଗତ ୩ ଦିନ ହେବ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନଥିଲେ। ଗୁରୁବାର ସନ୍ଧ୍ୟାରେ ସେ ଗୁରୁତର ଅବସ୍ଥାରେ ଛତାବର ମେଡିକାଲରେ ଭର୍ତ୍ତି ହୋଇଥିଲେ।

ରାତି ୮ ଟାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲ।। ବ୍ଲକ ପ୍ରଶାସନ ଖବର ପାଇଥିଲେ ମଧ୍ୟ ରାତି ହୋଇଯାଇଥିବାରୁ ଶବକୁ ନେବା ପାଇଁ କୌଣସି ସୁବିଧା ହୋଇ ପାରି ନଥିଲା। ଶୁକ୍ରବାର ସକାଳେ ପ୍ରଶାସନ ତରଫରୁ ଏକ ଗାଡି ସହାୟତାରେ ଶବକୁ ଗ୍ରାମକୁ ନିଆଯାଇଥିଲା। କିନ୍ତୁ ପରିତାପର ବିଷୟ ଶବଦାହ କରିବାକୁ ସରପଞ୍ଚ ଗ୍ରାମବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ଗ୍ରାମବାସୀ ଭୟ କରି ସମସ୍ତେ ଘରର କବାଟ ବନ୍ଦ କରିଦେଇଥିଲେ।

ଖବରପାଇ ଏଭଳି ପରିସ୍ଥିତିରେ ମାନବିକତା ଦେଖାଇ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ତାଙ୍କର ସହଯୋଗୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜେ କାଠ ଯୋଗାଡ କରି ସହଯୋଗୀଙ୍କ ସହାୟତାରେ ଦିନ ୧୧ଟା ୩୦ରେ ଶବଦାହ କରିଥିଲେ। ଶବଦାହ ସମୟରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତୁ ରଞ୍ଜନ ଜେନା, ସହକାରୀ ଯନ୍ତ୍ରୀ ମହେଶ କୁମାର ମାହାଲି, ସରପଞ୍ଚ ଚନ୍ଦ୍ରମଣି ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ।