ଶବକୁ ଅସମ୍ମାନ, ବାଇକରେ ବୋହି ଘରକୁ ନେଲେ

ମାଲକାନଗିରି,ଏନ୍ଏନ୍ଏସ୍: ବାଇକରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ସୂଚନା ନେବାରୁ ଜଣାପଡିଛି ଯେ, ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣା ଅନୁଭବ କରି ତଳେ ପଡି ଯାଇଥିଲେ। ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ଶବ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା କରାନଯିବାରୁ ପରିବାର ଲୋକେ ବାଧ୍ୟ ହୋଇ ଶବଟିକୁ ବାଇକ ଯୋଗେ ନିଜ ଘର କଦମଗୁଡାକୁ ଆଣିଥିବା ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ଯୋଜନା ଥାଇ ମଧ୍ୟ କିଛି ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ ସରକାରୀ ଯୋଜନାରୁ ସାଧାରଣ ଲୋକ ବଞ୍ଚିତ ହେଉଛନ୍ତି। ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କୌଣସି ଅଭିଯୋଗ ପାଇନଥିବା ପ୍ରକାଶ କରିଛନ୍ତି।