ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତିଲେଇବଣି ବ୍ଲକ ଟାଇଁସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରଡ ଗ୍ରାମ ବଡ଼ ବାଲିପୋଶି ସାହିରେ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କର ୩୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଏଥିସହ ଅଞ୍ଚଳବାସୀଙ୍କୁ ଶୁଖା ଖାଦ୍ୟ, ସାବୁନ ଏବଂ ମାସ୍କ ବିତରଣ କରାଯାଇଛି। ଆଜି ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତୀର୍ଥବାସୀ ସାହୁ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ ଓ ବରିଷ୍ଠ କଂଗ୍ରେସ ନେତା କ୍ଷିତୀଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଦେଶ ପାଇଁ ବଳିଦାନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିଚ୍ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଉପସ୍ଥିତ କୁରଡ ବାଲିପୋଶି, ମାଙ୍କଡିଆବସା ଓ ନୂଆଁସାହି ଅଞ୍ଚଳରୁ ଆସିଥିବା ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଚୂଡା, ଚାଉଳ, ଚିନି, ବିସ୍କୁଟ, ସାବୁନ ଓ ମାସ୍କ ସମେତ ବାଇଗଣ ଓ ଆଳୁ ଆଦି ପରିବା ବିତରଣ କରିଥିଲେ। ଏଥିସହ ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଶୀଳ କୁମାର ନାୟକ, ଦୀପକ କୁମାର ଦାସ, ରଞ୍ଜନ କୁମାର ସାହୁ, ଦୀପକ କୁମାର ବେହେରା, ରାଜେଶ କୁମାର ବେହେରା ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଏହାପରେ ଦେବଗଡ଼ ପୌରାଞ୍ଚଳର ୱାର୍ଡ ନଂ-୫(ଜଗତିପାଲି) ବାସୀଙ୍କୁ ମଧ୍ୟ ଅନୁରୂପ ଶୁଖା ଖାଦ୍ୟ, ସାବୁନ ଓ ମାସ୍କ ଆଦି ବିତରଣ କରାଯିବା ସହ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା।