୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଏକ ଲୁହା ପାଇପ ବୋଝେଇ ଟ୍ରକରୁ ପାଇପ ଓହ୍ଲାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ଶ୍ରମିକ ଜଣକ ମଧ୍ୟପ୍ରଦେଶ ଦେୱାସ ଜିଲ୍ଲାର ସୁଶୀଲ ୱିକେ ବୋଲି ଜଣାପଡିଛି। ନିର୍ମାଣକାରୀ ସଂସ୍ଥା ଭୋଲଟାସର ଏକ ପାଇପ ବୋଝେଇ ଟ୍ରକରୁ ପାଇପ ଓହ୍ଲାଉଥିବା ବେଳେ ଅସାବଧାନତା ଯୋଗୁଁ ଲୁହାପାଇପଟି ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ଶ୍ରମିକର ମୃତ୍ୟୁ ଘଟିଛି।

ଦୀର୍ଘ ସମୟ ଧରି ବିଦ୍ୟୁତ ତାରରେ ଶ୍ରମିକଙ୍କ ମୃତ ଦେହ ଲାଗି ରହିଥିଲା। ସୂଚନାପାଇ ଖୋଦ ଏସଡିପିଓ ପ୍ରତ୍ୟୁଷ କୁମର ମହାପାତ୍ର କୁଣ୍ଢେଇଗୋଳା ଥାନା ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।