କୋରୁକୋଣ୍ଡା,ଏନ୍ଏନ୍ଏସ୍: ସରକାରୀ ବାବୁଙ୍କର ଅଜବ ନୀତି। ଶେଷରେ ନାମ ଫଳକରେ ଲେଖାଗଲା ଭୁଲ। ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଦୀର୍ଘ ୪ ବର୍ଷ ପୂର୍ବେ ମୁଖ୍ୟ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କେଉଁ କାର୍ଯ୍ୟାଳୟ କେଉଁଠି ଏବଂ କେଉଁ ସରକାରୀ କାର୍ଯ୍ୟାଳୟକୁ ରାସ୍ତା କେଉଁ ପଟେ ତାହାର ନାମ ଫଳକ/ସାଇନ ବୋର୍ଡ ଲେଖାଯାଇନଥିଲା। ତେବେ ଏହି ନାମଫଳକ ଦୀର୍ଘ ବର୍ଷ ପରେ ପ୍ରଶାସନ ପକ୍ଷରୁ ରାସ୍ତା ପାର୍ଶ୍ୱରେ ପୋତାଗଲା ସତ, ହେଲେ ସେଥିରେ କିନ୍ତୁ ଭୁଲ ଲେଖାଯାଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ନାମଫଳକରେ ଇଂରାଜୀରେ ବାଲିମେଳାକୁ ବାଲିମଲା ଲେଖାଯାଇଥିବା ବେଳେ ଏନଏସିକୁ ଏନସିଏ ମଧ୍ୟ ଲେଖାଯାଇଥିବା ଦେଖିବାକୁ ମିଳିଛି।
ବୁଧବାର ଏହି ନାମଫଳକ ସବୁ ଏନଏସିର ପ୍ରତ୍ୟେକ ଛକ ଗୁଡିକରେ ପୋତାଯାଇଥିଲା। ଏହି ଘଟଣା ବାଲିମେଳା ପାଇଁ ଏକ ଅସମ୍ମାନ ବୋଲି କହିବା ସହ ଯୁବ ବର୍ଗଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ଏଭଳି ଭୁଲ ଲେଖାଥିବା ନାମଫଳକ ଗୁଡ଼ିକ କିପରି ପ୍ରଶାସନିକ ବାବୁମାନଙ୍କ ଉପସ୍ଥିତିରେ ପୋତାଗଲା ତାହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। ଏନେଇ ଆମେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟ ନେଇଥିବା ଠିକାଦାରଙ୍କ ସହ ଆଲୋଚନା କରି ତୁରନ୍ତ ସବୁ ଅକ୍ଷର ଗୁଡିକ ଠିକ ଭାବେ ଲେଖାଯିବ ବୋଲି ସୂଚନା ଦେଇଛନ୍ତି।