ମା’ ମୁଣ୍ଡରେ ସିନ୍ଦୂର ଲଗେଇଲା କୁଳାଙ୍ଗାର ପୁଅ: ଥାନାରେ ଅଭିଯୋଗ ପରେ ଗିରଫ ହେଲା ପୁଅ

ଦେବଗଡ଼,ଏନ୍ଏନ୍ଏସ୍: ଜନ୍ମଦାତ୍ରୀ ମା’କୁ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଚୁମ୍ବନ ଦେବା ଏପରିକି ମା’ ମୁଣ୍ଡରେ ସିନ୍ଦୂର ଲଗାଇବା ଭଳି ଅଭାବନୀୟ କାଣ୍ଡ ଭିଆଇବା ପରେ ନିର୍ଯାତନା ଦେଇ ବାପା-ମା’ଙ୍କୁ ଘରୁ ତଡି ଦେବା ଭଳି ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ଗ୍ରାମରେ। ନିର୍ଯାତିତା ମା’ର ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଗିରଫ କରିଛି ଅଭିଯୁକ୍ତ ପୁଅକୁ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଣ୍ଟାପାଲି ଗ୍ରାମର ଫକୀର ମୋହନ ପ୍ରଧାନଙ୍କ ସ୍ତ୍ରୀ ମମତା ପ୍ରଧାନଙ୍କୁ ତାଙ୍କ ଜନ୍ମିତ ପୁଅ ବିବେକା ପ୍ରଧାନ (୨୯) ବିଭିନ୍ନ ସମୟରେ ନିଶା ପାନ କରିବା ସହ ଟଙ୍କା ପଇସା ପାଇଁ ଘରେ ଗଣ୍ଡଗୋଳ କରିଥାଏ। ଗତ ବର୍ଷ ପୁଅ ଉଭୟ ବାପା-ମା’ଙ୍କୁ ଘର ମଧ୍ୟରେ ଭରି ଘରେ ନିଆଁ ଲଗାଇ ସେମାନଙ୍କୁ ହତ୍ୟା ଉଦ୍ୟମ କରିଥିଲା। ସେହି ସମୟରେ ସେମାନଙ୍କୁ ଶାଶୁ ବଞ୍ଚାଇ ଥିଲେ ମଧ୍ୟ ଘରର ବହୁ ଆସବାବପତ୍ର ପୋଡ଼ିଯାଇଥିଲା। ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ଉଭୟ ମମତା ଓ ଫକୀର ଘର ଛାଡି କିଛିଦିନ ଅନ୍ୟତ୍ର ଭଡା ଘରେ ରହିଥିଲେ। ସେଠାକୁ ମଧ୍ୟ ପୁଅ ବିବେକା ଯାଇ ସେମାନଙ୍କୁ ମାଡଗାଳି କରିଆସୁଥିଲା। ଗତ ଡିସେମ୍ବର ମାସରେ ବିବେକା ନିଜ ଭୁଲ ସ୍ୱିକାର କରି ଭଡାଘରୁ ସେମାନଙ୍କୁ ନିଜ ଘରକୁ ଆଣିଥିଲା। ମାତ୍ର ବାପା-ମା ଘରକୁ ଆସିବା ପରେ ପୁଣିଥରେ ପୂର୍ବଭଳି ଅତ୍ୟାଚାର ଆରମ୍ଭ କରିଥିଲା।

ଗତ ମାର୍ଚ୍ଚ ମାସରେ ପୁଅ ବିବେକା ମା’କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିଲା। ମା’ ମମତା ମଥାରେ ସିନ୍ଦୂର ଭରି ଦେଇଥିଲା। ମମତା ଏକଥା ନିଜ ସ୍ୱାମୀଙ୍କୁ କହିଥିଲେ। ସ୍ୱାମୀ ଏହାର ପ୍ରତିବାଦ କରିବାରୁ ବିବେକା ଉଭୟଙ୍କୁ ମାଡ ମାରି ଘରୁ ତଡ଼ିଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ପୁଲିସ ନିକଟରେ ଉଭୟ ଅଭିଯୋଗ କରିଥିଲେ ମଧ୍ୟ ମିଳାମିଶା ହୋଇ ଘଟଣାର ସମାଧାନ କରାଯାଇଥିଲା। ଲୋକ ଲଜ୍ଜ୍ୟା ଭୟରେ ପୁଅର କଳା କାରନାମାକୁ ମା’ ନିଜ ଭିତରେ ଲୁଚାଇ ରଖି ନିର୍ଯାତନା ସହି ଯାଉଥିଲେ। ହେଲେ ଗତକାଲି ମମତା ସ୍ୱାମୀ, ଶାଶୂ ଓ ଶ୍ୱଶୂରଙ୍କ ସହ ନିଜ ଆମ୍ବ ବଗିଚାରୁ ବିକ୍ରି ହୋଇଥିବା ଆମ୍ବର ହିସାବ କରୁଥିଲେ। ଏହି ସମୟରେ ପୁଅ ବିବେକା ଆସି ଟଙ୍କା ମାଗିଥିଲା। ପରିବାର ଲୋକେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ପୁଅ ବିବେକା ଏକ ବାଡ଼ି ସାହାଯ୍ୟରେ ପରିବାର ଲୋକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା।

ସେହିପରି ବଗିଚାରେ ଥିବା ସମସ୍ତ ଆମ୍ବ ଗଛ ଗୁଡିକୁ କାଟି ଦେବାର ଧମକ ଦେଇଥିଲା। ଏନେଇ ମା’ ମମତା ସହାୟତା ପାଇଁ ବାରକୋଟ ସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥା “ସଖୀ” ନିକଟରେ ସହାୟତା ପାଇଁ ନିବେଦନ କରିଥିଲେ। ଦେବଗଡ଼ ଥାନାରେ ପୁଅ ଅତ୍ୟାଚାର ବିରୋଧରେ ମା’ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି। ତେବେ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ପୁଅ ବିବେକା ଅଚେତ ହେବାରୁ ପୁଲିସ ତାକୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।