ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳ ଭଣ୍ଡାରରେ ଗତକାଲି ଏକ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବୃଦ୍ଧା ଜଣକ ହେଲେ ଦାମୋଦରବେଡା ଗ୍ରାମର ୭୦ ବର୍ଷ ବୟସ୍କ ବୁଦ୍ରି ମୁଦୁଲି। ଗତକାଲି ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦାମୋଦରବେଡ଼ା ଗ୍ରାମର ୧୪ ଜଣ ବ୍ୟକ୍ତି ଏକ ଡଙ୍ଗା ସାହାଯ୍ୟରେ ଓରାପଦର ଘାଟରୁ ବକୁଲି ଗ୍ରାମକୁ ଯାଉଥିଲେ। ଏହି ସମୟରେ ଜଳଭଣ୍ଡାର ମଧ୍ୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୧ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ସେହିପରି ୩ ଜଣ ନିଖୋଜ ଥିଲେ।
ନିଖୋଜଙ୍କ ମଧ୍ୟରେ ବୁଦ୍ରି ମୁଦୁଲିଙ୍କ ସମେତ ଯମୁନା ମୁଦୁଲି ଓ ତାଙ୍କ ୮ ମାସର ଶିଶୁକନ୍ୟା ଥିଲେ। ପରେ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପହଞ୍ଚି ସ୍ଥିିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କୋରୁକୋଣ୍ଡା ଭାରପ୍ରାପ୍ତ ଅଗ୍ନିଶମ ସେବା ଅଧିକାରୀ କୃଷ୍ଣଚନ୍ଦ୍ର ଶବରଙ୍କ ନେତୃତ୍ୱରେ ଏକ ୭ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ନିଖୋଜଙ୍କ କୌଣସି ସନ୍ଧାନ ମିଳିନଥିଲା।
ଅନ୍ଧାର ହେବା ଫଳରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଆଜି ସକାଳେ ପୁଣି ଘଟଣାସ୍ଥଳରେ ଏସଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ୱରେ ୧୮ ଜଣ ଯବାନ ଓ ଦମଳକ ବାହିନୀର ୭ ଜଣ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମାଆ ଓ କନ୍ୟା ନିଖୋଜ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।