ଜୟପୁର,ଏନ୍ଏନ୍ଏସ୍: କୁନ୍ଦୁରା ଥାନା ପୁଲିସ ଏକ ନମ୍ବରବିହୀନ ବଲେରୋ ଜିପରୁ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ମାଛକୁଣ୍ଡ ଥାନା ବାଲେଲ ଗ୍ରାମର ସୁରେଶ ବିଷୋୟୀ(୨୦) ବୋଲି ଜଣାପଡ଼ିଛି। ଲମତାପୁଟ ଅଞ୍ଚଳରୁ କୁନ୍ଦୁରା ଦେଇ ଛତିଶଗଡ଼ର ଜଗଦଲପୁରକୁ ଏକ ନମ୍ବରବିହୀନା ବଲେରୋରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଥାନାଧିକାରୀ ଶେଷଦେବ ବେହେରାଙ୍କୁ ସୂଚନା ମିଳିଥିଲା। ମିଳିଥିବା ରିପୋର୍ଟ ମୁତାବିକ, ଥାନାଧିକାରୀ, ଏଏସଆଇ କେଏସ୍.ରାଓ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ଖଟଲାପଦର ପୋଲ ନିକଟରେ ଅପେକ୍ଷା କରି ରହିଥିଲେ। ବଲେରୋ ଆସିବା ପରେ ଅଟକାଇ ଯାଞ୍ଚ କରିଥିଲେ। ପୁଲିସକୁ ଦେଖି କିଛି ଦୂରରେ ଡ୍ରାଇଭର ଗାଡ଼ି ଅଟକାଇବା ପରେ ଗାଡ଼ିରେ ଥିବା ୨ଜଣ ଚମ୍ପଟ ମାରିବାକୁ ଡେଇଁ ପଡ଼ିଥିଲେ। ପୁଲିସ୍ ଟିମ୍ ସୁରେଶକୁ କାବୁ କରି ନେଇଥିଲେ ମଧ୍ୟ ଅନ୍ୟଜଣେ ଅଭିଯୁକ୍ତ ବାଲେଲ୍ ଗ୍ରାମର ମଙ୍ଗଳା ଖରା କୌଶଳକ୍ରମେ ଜଙ୍ଗଲ ଭିତରକୁ ଖସି ପଳାଇଥିଲା। ବଲେରୋ ଜିପର ଥିବା ମଝିସିଟ୍ ବାହାର କରି ଦିଆଯାଇଥିବାବେଳେ ସେହି ସ୍ଥାନରେ ଗଞ୍ଜେଇ ରଖାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଜରି ଅଖାରେ ୪୪୫ କିଲୋ ୮୦୦ ଗ୍ରାମ୍ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗଞ୍ଜେଇ ଓ ବଲେରୋ ସହ ପୁଲିସ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି।