ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ବର୍ଦ୍ଧିତ ସଂଖ୍ୟା ଏବଂ ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଦାବି ଫଳରେ ରାଜ୍ୟ ସରକାର ଆଜି ଜିଲ୍ଲାକୁ ୬ଟି ଭେଣ୍ଟିଲେଟର ଯୋଗାଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ପଲିଟେକନିକ ଠାରେ ଅସ୍ଥାୟୀ ଭାବେ ଖୋଲା ଯାଇଥିବା କୋଭିଡ ଡାକ୍ତରଖାନାରେ ଆଜି ଯୁଦ୍ଧ କାଳୀନ ଭିତ୍ତିରେ ଆଇସିୟୁ ପ୍ରସ୍ତୁତ କରି ଭେଣ୍ଟିଲେଟର ଗୁଡିକୁ ଖଞ୍ଜି ଥିଲେ। ମାତ୍ର ଭେଣ୍ଟିଲେଟର ଗୁଡିକ କାର୍ଯ୍ୟକ୍ଷମ ହେବାପାଇଁ ଆବଶ୍ୟକ ଅକ୍ସିଜେନ ପ୍ଲାଣ୍ଟ ନଥିବାରୁ ଖଞ୍ଜା ଯାଇଥିବା ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ଜିଲ୍ଲାର ଜନସାଧାରଣଙ୍କ ବହୁ ପ୍ରତିକ୍ଷିତ ଦାବି କାର୍ଯ୍ୟକ୍ଷମ ପାଇଁ ଆହୁରି କିଛିଦିନ ପ୍ରତୀକ୍ଷା କରିବାକୁ ପଡିବ। ତେବେ କେତେଦିନ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ ସେନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ କାହା ପାଖରେ ନ ଥିବା ବେଳେ ଜିଲ୍ଲାର ଗୁରୁତର କରୋନା ସଂକ୍ରମଣ ରୋଗୀଙ୍କୁ ଜିଲ୍ଲାର ଭେଣ୍ଟିଲେଟ ରେ ଚିକିତ୍ସା ପାଇଁ ଆଉ କିଛିଦିନ ଅପେକ୍ଷା ହିଁ ଏକ ମାତ୍ର ବିକଳ୍ପ ହୋଇ ରହିଛି। ଗତ କିଛିଦିନ ଧରି ସାମାଜିକ ଗଣ ମାଧ୍ୟମରେ ଜିଲ୍ଲାର ଯୁବଗୋଷ୍ଠୀ ଜିଲ୍ଲାରେ ଭେଣ୍ଟିଲେଟର ସ୍ଥାପନ ପାଇଁ ବ୍ୟାପକ ଆନ୍ଦୋଳନ ଭଳି ପ୍ରତିକ୍ରିୟା ରଖି ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ଚାପ ପକାଇଥିଲେ।
ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲାପାଳଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଜିଲ୍ଲାରେ ସାମ୍ପ୍ରତିକ ପରିସ୍ଥିତିରେ ଭେଣ୍ଟିଲେଟରର ଆବଶ୍ୟକତା ନେଇ ରିପୋର୍ଟ ପ୍ରଦାନ ପରେ ଗତକାଲି ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ତୁରନ୍ତ ୬ଟି ଭେଣ୍ଟିଲେଟର ପ୍ରଦାନ କରିଥିଲେ। ତେବେ ସମ୍ପୂର୍ଣ ବ୍ୟବସ୍ଥା ନକରି ରାଜ୍ୟ ସରକାର ଜିଲ୍ଲାକୁ ଭେଣ୍ଟିଲେଟର ପ୍ରଦାନ କରି ପ୍ରଶଂସା ସାଉଁଟି ଥିବା ବେଳେ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖା ଦେବା ପରେ ଜନସାଧାରଣଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଛି। ଏଣୁ ଜିଲ୍ଲାପାଳ ବିଶେଷ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରି ଭେଣ୍ଟିଲେଟର ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।