ପରାଜୟରୁ ଶିକ୍ଷା ନେବାକୁ ପଡିବ-ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଘୋଷଣା ହୋଇସାରିଛି ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ନିଜର ଅସ୍ତିତ୍ୱ ବଞ୍ଚାଇବାରେ ବିଫଳ ହୋଇଛି କଂଗ୍ରେସ। ତାମିଲନାଡୁ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ କଂଗ୍ରେସ ନିଜର ପୁରୁଣା ପ୍ରଦର୍ଶନ ଜାରି ରଖିପାରି ନାହିଁ। ପଶ୍ଚିମବଙ୍ଗରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳରେ ଥିଲା। ମାତ୍ର ଦଳ ଏଠାରେ ନିଜର ଖାତା ମଧ୍ୟ ଖୋଲି ପାରିନାହିଁ। ୨୦୨୨ରେ ୬ଟି ରାଜ୍ୟ ଯଥାକ୍ରମେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର, ହିମାଚଳପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ରହିଛି। ପଞ୍ଜାବ ବ୍ୟତିରେକ ଅନ୍ୟ ସମସ୍ତ ରାଜ୍ୟରେ ବିଜେପିର ସରକାର ରହିଛି। କଂଗ୍ରେସ ଦୀର୍ଘ ସମୟ ଧରି କ୍ଷମତାର ବାହାରେ ରହିଛି। ଦଳ ନିକଟରେ ମଜଭୁତ୍ ସଂଗଠନ ମଧ୍ୟ ନାହିଁ। ଏପରିସ୍ଥିତିରେ ଦଳ କିପରି ସଂଗଠିତ ହୋଇ ନିର୍ବାଚନ ଲଢ଼ିବ ତାହ ଏକ ଯକ୍ଷ ପ୍ରଶ୍ନ। ଚଳିତ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନୈରାଶ୍ୟଜନକ ଆଖ୍ୟା ଦେଇ ଏଥରୁ ଶିକ୍ଷା ନେବାର ଆବଶ୍ୟକତା ଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ୍ୟ ସୋନିଆ ଗାନ୍ଧୀ। ମହାମାରୀ କରୋନାର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ସଂସଦୀୟ ଦଳ ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, ଖୁବଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲ୍ୟୁସି) ବୈଠକ ଡକାଯିବ।

ଏଥିରେ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ। ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜୟ ପାଇଁ ମମତା ବାନାର୍ଜୀ, ଏମକେ ଷ୍ଟାଲିନ ଓ ବାମଦଳକୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି କି ସମସ୍ତ ରାଜ୍ୟରେ ଆମର ପ୍ରଦର୍ଶନ ନୈରାଶ୍ୟଜନକ ଓ ଏହା ଅପ୍ରତ୍ୟାଶିତ। ନିର୍ବାଚନ ଫଳାଫଳକୁ ସମୀକ୍ଷା କରିବା ପାଇଁ ଖୁବ୍ ଶୀଘ୍ର ଏକ ବୈଠକ ହେବ। ହେଲେ ଏହା କହିବା ଆବଶ୍ୟକ ଯେ ଏକ ଦଳ ଭାବରେ ଆମକୁ ସମସ୍ତ ନମ୍ରତା ଏବଂ ସଚ୍ଚୋଟତା ସହିତ ଏହି ପରାଜୟରୁ ଶିକ୍ଷା ନେବାକୁ ପଡିବ ବୋଲି କହିଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ।