ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ସଙ୍ଗୀତା କୁମାରୀ ସାହୁ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗର ଫାଇଲ ଖୋଲିଛି ଭିଜିଲାନ୍ସ। ଜୟପୁର ଭିଜିଲାନ୍ସ ବିଭାଗ ଇନସପେକ୍ଟର ବଙ୍କିମ ବବାଲି ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସଙ୍ଗୀତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଛି। ଏଥିସହିତ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ଦାଖଲ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିକଟରୁ ଆବଶ୍ୟକ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିଛି ଭିଜିଲାନ୍ସର ସ୍ଵତନ୍ତ୍ର ଟିମ।
୨୦୧୩ ମସିହାରେ ସଙ୍ଗୀତା କୁମାରୀ ସାହୁ ସରକାରୀ ଶିକ୍ଷୟିତ୍ରୀରେ ନିଯୁକ୍ତି ପାଇଥିଲେ। ୨୦୧୫ ମସିହାରେ ତତ୍କାଳୀନ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ କୋର୍ଟରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହେବା ପରେ ମାମଲାର ବିଚାର ହୋଇଥିଲା। ବିଚାର ସମୟରେ ଶିକ୍ଷୟିତ୍ରୀ ସଙ୍ଗୀତା ମୁନିଗୁଡ଼ା କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିବା ନେଇ ଶିକ୍ଷା ବିଭାଗକୁ ଦେଇଥିବା ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡିଥିଲା। ଏହା ପରେ ଜିଲ୍ଲାପାଳ ସଙ୍ଗୀତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ।
ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଏହି ସୁପାରିଶକୁ ଚାଲେଞ୍ଜ କରି ସଙ୍ଗୀତା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳଙ୍କ ରାୟ ବିରୋଧରେ ରହିତାଦେଶ ଦେଇଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ଭିଜିଲାନ୍ସ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିବାକୁ ଯାଉଥିବାରୁ ଆଜି ଡିଇଓ ଅଫିସକୁ ଆସି ସଙ୍ଗୀତା ମାଟ୍ରିକ, ଯୁକ୍ତ ଦୁଇ, ଯୁକ୍ତ ତିନି, ବିଇଡ଼ି ସାର୍ଟିଫିକେଟ୍ ଯାଞ୍ଚ ଅନୁମୋଦନ ପତ୍ର ସଂଗ୍ରହ କରିଛନ୍ତି।