ଜୁଆଁଳି ପାଇଁ ହତ୍ୟାକାଣ୍ଡ, ଜଣେ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମରେ ଜୁଆଁଳି ଚୋରିକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଜଣଙ୍କୁ ଅଟକ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ସୁଗୁଡ଼ା ଗ୍ରାମର ଧୀର ସାହୁ(୫୦) ନାମକ ଜଣେ ବ୍ୟକ୍ତି ଗତ କିଛିଦିନ ପୂର୍ବେ ନିଜ ସମ୍ପର୍କୀୟ ପପନ ସାହୁଙ୍କ ଘରୁ ଶଗଡ଼ ଗାଡିରେ ବ୍ୟବହୃତ ହେଉଥିବା ଜୁଆଁଳି ନେଇ ନିକଟସ୍ଥ କଂଗ୍ରେସ ପୁର ଗ୍ରାମର ଲୋଧା ବାଘଙ୍କୁ ୨୫୦ ଟଙ୍କାରେ ବିକ୍ରି କରିଥିଲା। ଏ ଘଟଣା ଜାଣିବା ପରେ ପପନ ଲୋଧା ଘରକୁ ଯାଇ ୨୫୦ ଟଙ୍କା ଦେଇ ଜୁଆଁଳି ନେଇ ଆସିଥିଲେ। ଏହା ପରେ ପପନ ଧୀରଙ୍କ ଘରକୁ ଆସି ତାଙ୍କ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ଏକ ବାଉଁଶ ବାଡିରେ ନିସ୍ତୁକ ପିଟିଥିଲେ।

ଏ ଘଟଣା ପରେ ଧୀର ଗ୍ରାମରେ ଥିବା ମଦ ଭାଟିକୁ ମଦ ପିଇବା ପାଇଁ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ପପନ ମଧ୍ୟ ଉକ୍ତ ଭାଟିକୁ ଯାଇଥିଲେ। ପପନଙ୍କ ରାଗ ଶାନ୍ତ ହୋଇ ନଥିବା ବେଳେ ସେ ମଦ ଦେବାର ଲୋଭ ଦେଖାଇ ଧୀରଙ୍କୁ ନିକଟସ୍ଥ ମନ୍ଦିର ବେଢାକୁ ଡାକି ନେଇ ସେଠାରେ ଅତ୍ୟଧିକ ମଦ ପିଆଇ ଅଚେତ କରାଇ ଧୀରର ମୁଣ୍ଡକୁ କାଠ ଫାଳିଆ ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଧୀରର ମୃତ୍ୟୁ ହୋଇଥିବା ନେଇ ପୁଅ ସାଗର ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପପନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।