ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟିମାଲ ଗ୍ରାମରେ ଜଣେ ନବ ବିବାହିତା ନିଜ ଘରେ କଳାକନା ବୁଲାଇ ଫେରାର ହୋଇଯାଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କଣ୍ଟିମାଲ ଗ୍ରାମର ଉମାକାନ୍ତ ସାହୁଙ୍କ ପୁଅ ପୁଲିନ ବିହାରୀ ସାହୁ(୩୫) ଗତ ମାର୍ଚ୍ଚ ୮ ତାରିଖରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବେଣୀପଥର ଗ୍ରାମର ଅଲେଖ ସାହୁଙ୍କ ଝିଅ ପୂଜା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଖିଆପିଆ ସାରି ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ନବବିବାହିତା ପୂଜା ଘରେ ଥିବା ବ୍ୟାଙ୍କ ପାସବୁକ, ୨ଟି ସୁନା ହାର, ମୁଦି, ନଗଦ ୨୦ହଜାର ଟଙ୍କା ଓ ମୋବାଇଲ ଫୋନ ନେଇ ଘରୁ ଫେରାର ହୋଇଯାଇଥିଲେ। ଘରେ ନବ ବଧୂକୁ ନପାଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଏଣେତେଣେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଅନ୍ୟପଟେ ଘରେ ଉପରୋକ୍ତ ସାମଗ୍ରୀ ସବୁ ଗାୟବ ରହିଥିବା ଜାଣିବା ପରେ ସ୍ୱାମୀ ପୁଲିନ ଆଜି ମଧ୍ୟାହ୍ନରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।