ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ୩ଟି ରାଲି, ଅମିତ ଶାହା କରିବେ ରୋଡ ଶୋ’

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଆଗାମୀ ଦିନରେ ଆହୁରି ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ରାଜନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଏବେ ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାରରେ ନେତାମାନେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ୩ଟି ରାଲି କରିବେ। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ରୋଡ ଶୋ’ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟାହ୍ନ ୧୨ଟାରେ ବର୍ଦ୍ଧମାନରେ ରାଲି କରିବେ। ଏହା ପରେ ସେ ୧୨ଟା ୪୫ରେ କଲ୍ୟାଣୀରେ ଜନସଭାକୁ ସମ୍ବୋଧିତ କରିବେ। ମୋଦୀଙ୍କ ତୃତୀୟ ରାଲି ଆଜି ଅପରାହ୍ଣ ୩ଟା ୧୫ରେ ବାରାସାତରେ ହେବ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ତର ବଙ୍ଗାଲର କାଲିମ୍ୟୋଙ୍ଗରେ ରୋଡ ଶୋ’ କରିବେ। ସେ ଧୂପଗୁଡିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ପୂର୍ବାହ୍ଣ ୧୧ଟା ୩୦ରେ ଶାହା କାର୍ଯ୍ୟକ୍ରମ ଆରମ୍ଭ କରିବେ। ଶାହା ଅପରାହ୍ଣ ୧ଟା ୪୦ରେ ଧୁପଗୁଡିରେ ଜନସଭାକୁ ସମ୍ବୋଧିତ କରିବେ।