୧୮-୪୫ ବର୍ଷ ଲୋକଙ୍କ ଟିକାକରଣ ହେବା ଆବଶ୍ୟକ: ବିଶେଷଜ୍ଞ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ୨ୟ ଲହର ପୂର୍ବାପେକ୍ଷା ଅଧିକ ସକ୍ରିୟ ଦେଖିବାକୁ ମିଳୁଛି। ଏଥର ଯୁବଗୋଷ୍ଠୀ ଓ କମ ବୟସର ଲୋକଙ୍କୁ ମଧ୍ୟ କରୋନା ସଂକ୍ରମଣ ହେଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କହିବା ଅନୁସାରେ ଦିଲ୍ଲୀରେ ୬୫ ପ୍ରତିଶତ ଲୋକଙ୍କ ବୟସ ୪୫ରୁ କମ, ଯେଉଁମାନେ କି କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥର କମ ବୟସର ଲୋକଙ୍କୁ କରୋନା ହେଉଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ୧୮-୪୫ ବର୍ଷ ବୟସର ଲୋକଙ୍କୁ କରୋନା ଟିକା ଦିଆଯିବା ଦରକାର।

କୋଭିଡ ବିଶେଷଜ୍ଞ ଡାକ୍ତର ଅଂଶୁମାନ କୁମାର କହିଛନ୍ତି ଯେ, ଏବେ ସଂକ୍ରମଣର ସବୁଠାରୁ ବଡ଼ କାରଣ ମ୍ୟୁଟେସନ। ପ୍ରଥମ ଲହରର କରୋନା ତୁଳନାରେ ମ୍ୟୁଟେଡ ଭାଇରସ ଅଧିକ ସକ୍ରିୟ। ମାତ୍ର ପୂର୍ବ ତୁଳନାରେ ମୃତ୍ୟୁ ଦର କମ ହୋଇଛି। ଡାକ୍ତର କହିଛନ୍ତି ଯେ, ୧୮ରୁ ୪୫ ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ସର୍ବାଧିକ ସକ୍ରିୟ ଆକ୍ରାନ୍ତ। ଏହି ଶ୍ରେଣୀର ଲୋକେ କାମ କରୁଛନ୍ତି ଓ ଅଫିସ ଯାଉଛନ୍ତି। ଶପିଂ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ, ଫିଲ୍ମ ଦେଖିବା ଓ ଭୋଜିରେ ବ୍ୟସ୍ତ ରହୁଛନ୍ତି। ଅବହେଳା କାରଣରୁ ଏହି ଗୋଷ୍ଠୀର ଯୁବଗୋଷ୍ଠୀମାନେ କରୋନାର ସୁପର ସ୍ପ୍ରେଡର ହେଉଛନ୍ତି।