ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଉପକଣ୍ଠ ନୋଏଡାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ନୋଏଡାର ସେକ୍ଟର ୬୩ରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ସମ୍ପର୍କିତ ସୂଚନା ମିଳିବା ପରେ ୧୭ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।
ବହୋଲାଲପୁର ଗାଁର ଏକ ଖାଲି ପଡ଼ିଥିବା ଜମିରେ ପାଖାପାଖି ୧୫୦ରୁ ଅଧିକ କୁଡ଼ିଆ ଘର ନିର୍ମାଣ ହୋଇଥିଲା। ଏହି ଘର ଗୁଡ଼ିକରେ ବିହାର ଓ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ଆସି ଲୋକେ ଭଡ଼ାରେ ରହୁଥିଲେ। ଅପରାହ୍ଣ ପାଖାପାଖି ୧ଟା ସମୟରେ ଅଧିକାଂଶ ପୁରୁଷ କାମ କରିବାକୁ ବାହାରକୁ ଯାଇଥିଲେ। କିଛି ମହିଳା ମଧ୍ୟ ଘରୁ ବାହାରକୁ ଯାଇଥିଲେ। ଏହି ସମୟରେ ଅଚାନକ ଅଗ୍ନିକାଣ୍ଡ ଦେଖାଯାଇଥିଲା। ଘଟଣା ଘଟିବା ସମୟରେ ଅନେକ ଶିଶୁ ଘର ଭିତରେ ଶୋଇଥିଲେ।
ଅଗ୍ନିକାଣ୍ଡ ସମୟରେ ଜୋରରେ ପବନ ବହିଥିଲା। ଫଳରେ ନିଆଁ ଅନିୟନ୍ତ୍ରିତ ହୋଇଯାଇଥିଲା। ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗରିବ ଶ୍ରମିକମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିଲା।