ଛତିଶଗଡ଼ ସୀମା ସିଲ କଲା ଜିଲ୍ଲା ପ୍ରଶାସନ: ସ୍ଥିତି ପରଖିଲେ ଡିଆଇଜି ଓ ଉପଜିଲ୍ଲାପାଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜିଠାରୁ ଛତିିଶଗଡ଼ ସୀମା ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏହାସହ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତ୍ରୀବାହୀ, ମାଲବାହୀ, ଘରୋଇ ଗାଡ଼ି, ଅଟୋ ଓ ଦୁଇ ଚକିଆ ଯାନବାହାନର ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଏନଏଚ-୪୯ରେ କନକତୋରା ସୀମା, କଣ୍ଡେଇକେଲା ନିକଟସ୍ଥ ଲରା ଛକ ସୀମା ଓ ଏକତାଲ ଛକରେ ପୁଲିସ ଫୋର୍ସ ମୁତୟନ କରିବାକୁ ସମ୍ବଲପୁର ଡିଆଇଜି ନରସିଂହ ଭୋଲ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝାରଗାଁ ଓ ବାଉସେନପାଲି ରାସ୍ତା ମଧ୍ୟ ସିଲ ହେବ ବୋଲି ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି। କୌଣସି ବ୍ୟକ୍ତି କରୋନା ଟିକା ନେଇଥିବାର ପ୍ରମାଣପତ୍ର ଓ ଆରଟିପିସିଆର ରିପୋର୍ଟ ସାଥୀରେ ଆଣିଥିଲେ ଓଡ଼ିଶା ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ଶ୍ରୀ ଟପ୍ପୋ କହିଛନ୍ତି।ଛତିଶଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ସଂସ୍ପର୍ଶରେ ଆସି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଓଡ଼ିଶା-ଛତିଶଗଡ଼ ସୀମାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ସ୍ଥିତି ପରଖିବା ପାଇଁ ସମ୍ବଲପୁର ଡିଆଇଜି ନରସିଂହ ଭୋଲ ଓ ଉପଜିଲ୍ଲାପାଳ ଶିବ ଟପ୍ପୋ ଛତିଶଗଡ଼ ସୀମା ପରିଦର୍ଶନ କରିଛନ୍ତି।