ନୂଆପଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ ସରକାର ୯ ତାରିଖରୁ ରାୟପୁରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରିବାକୁ ଯାଉଛନ୍ତି। ସେଥିପାଇଁ ସେଠାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକ ବସ୍, ଟ୍ରେନ ଓ ବିଭିନ୍ନ ଗାଡ଼ି ମାଧ୍ୟମରେ ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଫେରୁଛନ୍ତି। ଫଳରେ ରାୟପୁରରୁ ଆସୁଥିବା ବସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ପ୍ରବାସୀ ଶ୍ରମିକଙ୍କ ଉପରେ ଜିଲ୍ଲା ପ୍ରଶାସନ ନଜର ନରଖିଲେ ନୂଆପଡ଼ା ଜିଲ୍ଲାରେ ପୁଣି କରୋନା ଧୀରେ ଧୀରେ ତା’ର କାୟା ବିସ୍ତାର କରିବ ବୋଲି ଚର୍ଚ୍ଚା ହେଉଛି।
ସେହିପରି ଛତିଶଗଡ଼ରୁ ନୂଆପଡା ପ୍ରବେଶ କରିବାକୁ ଛୋଟ ବଡ଼ ୬ରୁ ୭ଟି ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକରେ କଡ଼ା ନଜର ରଖିବାକୁ ଦାବି ହେଉଛି। ନୂଆପଡ଼ା ପ୍ରଶାସନ ପକ୍ଷରୁ ଖରିଆର ରୋଡ ସୀମାରେ ଛତିଶଗଡ଼ରୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ସହ ଲୋକଙ୍କ ପରିକ୍ଷା ମଧ୍ୟ କରାଯାଉଛି। ହେଲେ ଛତିଶଗଡ଼ ଯାଉଥିବା ଶ୍ରମିକମାନେ ବିଭିନ୍ନ ରାସ୍ତା ଦେଇ ନୂଆପଡ଼ାକୁ ଲୁପିଛୁପି ଆସୁଛନ୍ତି। ଜିଲ୍ଲାରେ ପ୍ରତିଦିନ ୫୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କରୋନା ନିୟମ ଉଲ୍ଲଂଘନ ହେଉଥିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତରଣୀସେନ ନାୟକ ଆଜି କୁରୁମପୁରୀ ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୫ଟି ବ୍ଲକ୍ରେ ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ଛକମାନଙ୍କରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।