ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅନଲାଇନ ମାଧ୍ୟମରେ ପରିକ୍ଷା କରାଇବା ଦାବିରେ ଆଜି ବେଲାପାହାଡ଼ କଲେଜର ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଧାରଣ ଦେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଫଲାଇନ ମାଧ୍ୟମରେ ହେବାକୁ ଥିବା ଯୁକ୍ତ ୩ର ତୃତୀୟ ସେମିଷ୍ଟାରକୁ ବାତିଲ କରାଯାଇ ଅନଲାଇନରେ କରାଯାଉ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସରାକାର ବର୍ଷ ତମାମ ଅନଲାଇନ କ୍ଲାସ କରାଇଛନ୍ତି। ଏହି କ୍ଲାସକୁ ଅନେକ ଛାତ୍ରଛାତ୍ରୀ ଭଲ ଭାବରେ କରିପାରି ନଥିବାବେଳେ କମର୍ସ ପିଲାଙ୍କର ପାଠ୍ୟକ୍ରମ ମଧ୍ୟ ଶେଷ ହୋଇନାହିଁ। ତେଣୁ ପ୍ରଥମେ ପାଠ୍ୟକ୍ରମକୁ ଭଲ ଭାବରେ ଶେଷ କରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ପାଇଁ କିଛିଦିନ ସମୟ ପ୍ରଦାନ କରିବା ପରେ ପରୀକ୍ଷା କରାଯାଉ। ଝାରସୁଗୁଡ଼ା ଜିଲ୍ଲାରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁ ଥିବାବେଳେ ବେଲପାହାଡ଼ କଲେଜକୁ ଝାରସୁଗୁଡ଼ା ଜିଲ୍ଲା ତଥା ଜିଲ୍ଲା ବହାରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ବସ, ମ୍ୟାଜିକ ଭ୍ୟାନ ଆଦିରେ ଆସି ଥାଆନ୍ତି। ଅଫଲାଇନରେ ପରିକ୍ଷା ହେଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ଆସିବାକୁ ପଡ଼ିବ। ଫଳରେ ସେମାନେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀଙ୍କ ଏସବୁ ଆଶଙ୍କାକୁ ଦୂର କରି ଯୁକ୍ତ ୩ର ତୃତୀୟ ସେମିଷ୍ଟାରକୁ ଅନଲାଇନ ମାଧ୍ୟମରେ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।