ବିବାଦୀୟ କୋଟିଆର ସ୍ଥାୟୀ ସମାଧାନ ନିମନ୍ତେ ସର୍ବଦଳୀୟ ବୈଠକ

କୋରାପୁଟ,ଏନ୍ଏନ୍ଏସ୍: ଓଡ଼ିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତରେ ଆସନ୍ତାକାଲି ହେବାକୁ ଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ପ୍ରତିରୋଧ କରିବା ନିମନ୍ତେ କୋରାପୁଟରେ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି, ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ପ୍ରମୁଖ ଯୋଗଦେଇ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ନିର୍ବାଚନ କରାଇବାକୁ ନେଇ ତୀବ୍ର ବିରୋଧ କରିଥିଲେ। କୋଟିଆ ବାସିନ୍ଦାଙ୍କୁ ଅର୍ଥ ଲୋଭ ଦେଖାଇ ନିଜର କରିବାକୁ ଆନ୍ଧ୍ର ଯେଉଁ ପ୍ରୟାସ କରୁଛି ତାହାକୁ ନେତାମାନେ ନାପସନ୍ଦ କରିଥିଲେ। ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ସ୍ଥଗିତ ରଖିଥିବାରୁ ରାତ୍ରି ରହଣୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡ଼ିଛି।

ସେହିପରି ଆନ୍ଧ୍ର ତରଫରୁ ମାସିକ ଟଙ୍କା ଦେଇ ଯେଉଁ ଦଲାଲଙ୍କୁ କୋଟିଆରେ ରଖାଯାଇଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସଂଘୀୟ ବ୍ୟବସ୍ଥା ଅନୁସାରେ କୋଟିଆରେ ସ୍ଥାୟୀ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ପ୍ରସ୍ତାବ ଆସିଥିବା ସେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜିକ ସଂଗଠନର ପ୍ରଭାକର ଅଧିକାରୀ, ସୁରେନ୍ଦ୍ର କରଣ ଓ ପି.କେ.ମହାନ୍ତି, ବିଜେଡିର ରମାକାନ୍ତ ରାଉଳ, ଉତ୍କଳ ରଞ୍ଜନ ନାୟକ , ଲିଙ୍ଗରାଜ ବେହେରା, ଲଲାଟ ରଞ୍ଜନ ସେଠୀ, ଜୟନ୍ତ କୁମାର ମିଶ୍ର, ବାଲା ରାୟ, ସୂର୍ଯ୍ୟ ନାରାୟଣ ରଥ, ବିଜେପିର ଗୌତମ ସାମନ୍ତରାୟ, ଜଗତ ଜ୍ୟୋତି ପାଙ୍ଗୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।