ଏମସିଏଲ ବିସ୍ଥାପିତଙ୍କ ହକ ପାଇଁ ବିଧାନସଭାରେ ସ୍ୱର ଉତ୍ତୋଳନ କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏମସିଏଲ ବିସ୍ଥାପିତ ତଥା ପ୍ରଭାବିତ ଲୋକଙ୍କ ହକ ପାଇଁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବିଧାନସଭାରେ ସ୍ୱର ଉତ୍ତୋଳନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାର ଅନେକ ଗ୍ରାମକୁ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମସିଏଲ) କୋଇଲା ଖନନ ପାଇଁ ବିସ୍ଥାପିତ କରୁଛି। ଏତଦବ୍ୟତୀତ ଯେଉଁ ସ୍ଥାନରେ କୋଇଲା ଖନନ କରାଯାଉଛି ତା’ ଆଖପାଖ ଗ୍ରାମ ଧୁଳିଧୁଆଁ ଖାଇ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। ହେଲେ ଏମସିଏଲ ଏହି ବିସ୍ଥାପିତ ତଥା ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି। ଏମସିଏଲ ପକ୍ଷରୁ ବିସ୍ଥାପିତଙ୍କୁ ଆର୍ ଆଣ୍ଡ ଆର୍ ନିୟମ ଅନୁଯାୟୀ ଅନୁକମ୍ପା ରାଶି, ଚାକିରି କିମ୍ବା ଜମି ଭଳି କୌଣସି ସୁବିଧା ଅଞ୍ଚଳବାସୀଙ୍କୁ ଯୋଗାଉ ନାହିଁ। ଏହି ସମସ୍ତ ସୁବିଧା ଉପଲବ୍ଧ କରିବା ପରିବର୍ତ୍ତେ ଏମସିଏଲ କର୍ତୃପକ୍ଷ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଲଖନପୁର ବ୍ଲକ ଅନ୍ତର୍ଗତ ଦର୍ଲିପାଲିରେ ବୁଲଡୋଜିଂ କରୁଛନ୍ତି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କଲେ ତାଙ୍କୁ ପୁଲିସ ଗିରଫ କରି ନେଉଛି। ଏମସିଏଲର ଖଣି ଖନନ ପାଇଁ ଝାରସୁଗୁଡ଼ାର ହଜାର ହଜାର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ଲାଗି ପ୍ରତି ୨ ମାସରେ ଥରେ ଆରପିଡିଏସି ବୈଠକ ଅନୁଷ୍ଠିତ ହେଲେ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ଶ୍ରୀ ମହାନ୍ତି ଗୃହରେ କହିଛନ୍ତି।