କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜଧାନୀ ରାଜକ୍ଷେତ୍ର ଶାସନ ଆଇନ ୨୦୨୧ ବିରୋଧରେ ଅଣବିଜେପି ନେତାଙ୍କୁ ଚିଠି ଲେଖିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଶରଦ ପାୱାର, ଏମକେ ଷ୍ଟାଲିନ, ନବୀନ ପଟ୍ଟନାୟକ, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲ, ଜଗମୋହନ ରେଡ୍ଡୀ, କେଏସ ରେଡ୍ଡୀ, ଫାରୁକ ଅବଦ୍ଦୁଲା ଓ ମେହବୁବା ମୁଫତୀ ରହିଛନ୍ତି।
ମମତା ଚିଠିରେ ଲେଖିଛନ୍ତି ଯେ, ବିଜେପି ଯେଉଁଭଳି ଏନସିଟି ବିଲ ପାରିତ କରିଛି ତା’ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଜରୁରୀ। ବିଜେପି ଏକ ପ୍ରଭୁତ୍ୱବାଦ ପାର୍ଟି।
ଯେଉଁ ରାଜ୍ୟ ବିଜେପି ସହ ସହମତି ପ୍ରକାଶ କରେନାହିଁ ସେ ତା’ର ସ୍ୱରକୁ ଚପେଇ ଦେବା ପାଇଁ ଚେଷ୍ଟା କରେ।
ସୂଚନାଯୋଗ୍ୟ, ଏନସିଟି ବିଲ ୨୦୨୧ ଲୋକସଭାରେ ୨୨ ମାର୍ଚ୍ଚ ଓ ରାଜ୍ୟସଭାରେ ୨୪ ମାର୍ଚ୍ଚରେ ପାରିତ ହୋଇଥିଲା। ପରେ ମାର୍ଚ୍ଚ ୨୮ରେ ରାଷ୍ଟ୍ରପତି ଏହି ବିଲକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ଆଇନ ଅନ୍ତର୍ଗତ କୌଣସି ପଦକ୍ଷେପ ନେବା ପୂର୍ବରୁ ଦିଲ୍ଲୀ ସରକାରଙ୍କୁ ଉପରାଜ୍ୟପାଳଙ୍କ ପରାମର୍ଶ ନେବାକୁ ପଡ଼ିବ।