ଗାଁ ମଝିରେ ଚାଲିଛି ବେଆଇନ ମଦ କାରବାର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁରେ କିରାନା ତଥା କୁକୁଡ଼ା ଦୋକାନରେ ବେଧଡ଼କ ଭାବେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି। ମହରାପଦର ଗାଁର ସୁରେଶନ ଦଳେଇ ନାମକ ଜଣେ ବ୍ୟକ୍ତି ନିଜ କିରାନା ଦୋକାନରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଦୋକାନ ସମ୍ମୁଖରେ ସବୁବେଳେ ମଦୁଆମାନେ ଭିଡ ଜମାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହିତ ଛୋଟ ଛୋଟ ଛୁଆ ତଥା ମହିଳାମାନେ ରାସ୍ତାରେ ଯିବା ଆସିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି।

ସେହିପରି ଦିନ ଧରୁଆ ନାମକ ଅନ୍ୟଜଣେ ବ୍ୟକ୍ତି ମହରାପଦର ଗାଁରୁ ବାଘଝରନ୍ ଗାଁ ଯିବା ରାସ୍ତାରେ ଏକ କୁକୁଡ଼ା ଦୋକାନ ଖୋଲି ସେଠାରେ ମଧ୍ୟ ଦେଶୀ ବିଦେଶୀ ମଦ ବିକ୍ରି କରୁଛନ୍ତି । ଏହାକୁ ବିରୋଧ କରି ଗ୍ରାମର ଏସଏଚଜି ମହିଳାମାନେ ମଦ ବିକ୍ରି ବନ୍ଦ କରିବା ନାରା ଦେଇ ଗାଁ ପରିକ୍ରମା କରିଥିଲେ ।

ସୂଚନାନୁଯାୟୀ, କିଛିଦିନ ଆଗରୁ ମହରାପଦର ଗାଁରେ ମଦଭାଟି ସବୁ ବନ୍ଦ ଥିଲା । କିନ୍ତୁ ଏହାର ସୁଯୋଗ ନେଇ ଉପରୋକ୍ତ ୨ଜଣ ଗାଁରେ ମଦ ବିକ୍ରି କରିବା ଆରମ୍ଭ କରିଥିଲେ । ସେଥିପାଇଁ ଗାଁର ଏସ‌ଏଚଜି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଗାଁର ୱାର୍ଡ ମେମ୍ବର ତାରା କୁମ୍ଭାରଙ୍କ ନେତୃତ୍ୱରେ ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ସାମିଲ ଥିଲେ । ମହିଳାମାନେ ସୁରଶେନ ଦଳେଇଙ୍କ କିରାନା ଦୋକାନରୁ କିଛି ଦେଶୀ ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି।