ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ବନ କର୍ମଚାରୀ ୪ଜଣ ଶିକାରୀକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ୫ ଅଫୁଟା ଗୁଳି ଓ ଶିକାର ପାଇଁ ଉଦ୍ଦିଷ୍ଟ ଟର୍ଚ୍ଚ ଜବତ କରିଥିବା ଜଣାପଡ଼ିଛ। ମିଳିଥିବା ରିପୋର୍ଟ ମୁତାବିକ, ଗତ ରବିବାର ଦେବଗଡ଼ ବନାଞ୍ଚଳ ଅଧିକାରୀ ଦେବଦ ନନ୍ଦଙ୍କ ନିର୍ଦ୍ଦେଶରେ ବନରକ୍ଷୀ କାର୍ତ୍ତିକେଶ୍ୱର ଦେହୁରୀଙ୍କ ନେତୃତ୍ୱରେ ପ୍ରଧାନପାଟ ପ୍ରୋଟେକ୍ସନ ସ୍କ୍ୱାଡଙ୍କ ସମେତ ବନ କର୍ମଚାରୀମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କଇଦନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ଗଛ ଉପରେ ଶିକାରୀ ପାଇଁ ମଞ୍ଚା ତିଆରି ହୋଇଥିବା ଦେଖିବାକୁ ପାଇଥିଲେ। କଇଦନ୍ତା ଜଙ୍ଗଲ ମଧ୍ୟରେ ଦେବଗଡ଼ ପୌରାଞ୍ଚଳ ବାବୁ ସାହିର ନରେଶ ଚନ୍ଦ୍ର ରାୟ(୭୦), ଭୂୟାଁ ସାହିର ସୁନିଲ କୁମାର ନାୟକ (୨୫), କୁଶ ନାୟକ (୩୮), ମରିଗଡ଼ିଆ ସାହିର ଅଧୀନ କୁଲା (୧୮) ଶିକାର ପାଇଁ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଧରି ଜଙ୍ଗଲ ମଧ୍ୟରେ ତିଆରି ହୋଇଥିବା ମଞ୍ଚା ଆଡ଼କୁ ଯାଉଥିବା ସମୟରେ ବନ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଥିବା ୨ଟି ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ଜବତ କରିଥିଲେ। ଅଟକ ଅଭିଯୁକ୍ତଙ୍କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କଲାବେଳେ ସେମାନେ ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ସ୍ୱୀକାର କରିଥିଲେ। ପରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଦେବଦ ନନ୍ଦ ସୂଚନା ଦେଇଛନ୍ତି।