ଅଫଲାଇନ୍ ପରୀକ୍ଷାକୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ବିରୋଧ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଅନଲାଇନ୍ ପରୀକ୍ଷା ଦାବିରେ ଆଜି ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ୍ ପରିସରରେ ଧାରଣା ଦେଇଛନ୍ତି। ସେମାନେ କହିଛନ୍ତି ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଚାରିଦିନ ପୂର୍ବରୁ ୪ ଛାତ୍ର, ୫ ଛାତ୍ରୀ ଓ ୧୩ ଜଣ କର୍ମଚାରୀଙ୍କୁ ମିଶାଇ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସେମାନଙ୍କ ସମ୍ପର୍କରେ ଆସିଥିବା ଛାତ୍ରଛାତ୍ରୀଙ୍କର ଟ୍ରେସିଂ କରାଯାଇ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ। ଅନ୍ୟପଟେ ଆସନ୍ତାକାଲିଠାରୁ ତୃତୀୟ ଓ ୫ମ ସେମିଷ୍ଟାର ଦେଉଥିବା ଛାତ୍ରଛାତ୍ରୀଙ୍କର ସ୍କୁଲରେ ଅଫଲାଇନ୍ ମାଧ୍ୟମରେ ପରୀକ୍ଷା ଆରମ୍ଭ ହେବ। ଅଫଲାଇନ ମାଧ୍ୟମରେ ବିଦ୍ୟାଳୟରେ ପରୀକ୍ଷା କରାଇଲେ ଆହୁରି ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପରୀକ୍ଷାକୁ ଅଫଲାଇନ ମାଧ୍ୟମରେ ନକରି ଅନଲାଇନ ମାଧ୍ୟମରେ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏନେଇ ସ୍କୁଲ ଅଧ୍ୟକ୍ଷା ପ୍ରଗତୀ ଦାସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାସହ କହିଛନ୍ତି ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ୍ ଏକ ଅଟୋନମସ ଇନ୍ଷ୍ଟିଚ୍ୟୁଟ ନୁହଁ। ଏହା ଏକ ସରକାରୀ ସ୍କୁଲ ଏବଂ ଏସସିଟିଇଭିଟି ଏହି ପରୀକ୍ଷା କରାଇଥାଏ। ଏସସିଟିଇଭିିଟିର କାର୍ଯ୍ୟକ୍ରମ ଅନୁଯାୟୀ ଆମେ ଅଫଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ଯଦି ଛାତ୍ରଛାତ୍ରୀଙ୍କୁ ଏଥିରେ କୌଣସି ସମସ୍ୟା ଥାଏ ତେବେ ସେମାନେ ଏକ ଲିଖିତ ଅଭିଯୋଗ ପ୍ରଦାନ କଲେ ଆମେ ଏସସିଇଟିଇଭିଟି କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇବୁ। ହେଲେ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି ବୋଲି ଶ୍ରୀମତି ଦାସ କହିଛନ୍ତି।