ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଉପଜିଲ୍ଲାପାଳ ଶିବ ଟପ୍ପୋ ଓ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଝାରସୁଗୁଡ଼ା ବସ୍ଷ୍ଟାଣ୍ଡସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଛନ୍ତି। ଆଜିର ଦିନରେ ମହାତ୍ମା ଓଡ଼ିଶାର ପବିତ୍ର ମାଟିକୁ ଆଗମନ କରି ରାଜ୍ୟବାସୀଙ୍କୁ ସ୍ୱାଧୀନ ଭାରତ ନିର୍ମାଣର ସ୍ୱପ୍ନ ଦେଖାଇବା ସହ ଓଡ଼ିଶା ବୀରଙ୍କ ଦେଶପ୍ରେମ, ଅହିଂସା, ସେବା, ଦେଶ ପାଇଁ ବଳିଦାନର ମନୋଭାବ ଜାଗୃତ କରିଥିଲେ। ଗାନ୍ଧୀଙ୍କ ପ୍ରଦର୍ଶିତ ପଥରେ ହିଁ ଆମ ଦେଶର ଉନ୍ନତି ସମ୍ଭବ। ତେଣୁ ଆମେ ସମସ୍ତେ ଗାନ୍ଧୀଙ୍କ ନୀତିରେ କାର୍ଯ୍ୟ କରି ଦେଶ ତଥା ଦେଶବାସୀଙ୍କ ହିତ ପାଇଁ କାର୍ଯ୍ୟ କରିବା ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି।