ଇରିଗେସନ ବିଭାଗର ରାସ୍ତା ନିର୍ମାଣରେ ଦୁର୍ନୀତି, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା

କୋରୁକୋଣ୍ଡା,ଏନ୍ଏନ୍ଏସ୍: ନିମ୍ନମାନର ରାସ୍ତା ନିର୍ମାଣକୁ ନେଇ ତାତିଲେ ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ବାଲିମେଳାସ୍ଥିତ ପୋଟେରୁ ଇରିଗେସନ ବିଭାଗର କାମବେଡ଼ା ଛକଠାରୁ ଡୁଡାମେଟା ପର୍ଯ୍ୟନ୍ତ ହେଉଥିବା କେନାଲ ରାସ୍ତା ନିର୍ମାଣରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ବର୍ଷ ବର୍ଷ ଧରି ଏହି କେନାଲ ରାସ୍ତାରେ ମେଟାଲ ଗୁଡ଼ିକ ଫାଟିବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିଲା। ଲୋକେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ରାସ୍ତା ନିର୍ମାଣ ପାଇଁ ଟଙ୍କା ଆସିଲା ସତ କିନ୍ତୁ ଯେଉଁ ଠିକାଦାର ଉକ୍ତ କାମଟି ପାଇଲେ ସେ ମନମୁଖୀ ଭାବେ ରାସ୍ତା ନିର୍ମାଣ କଲେ। ବିଭାଗୀୟ ଯନ୍ତ୍ରୀ ଧନେଶ୍ୱର ହେମ୍ବ୍ରମ ସବୁ ଦେଖି ମଧ୍ୟ ଚୁପ ରହିଲେ। କାମବେଡ଼ା ଛକରୁ ଆରମ୍ଭ ହୋଇଥିବା ରାସ୍ତା କାମ ଵାଲାକାଟି ପର୍ଯ୍ୟନ୍ତ ହୋଇଥିଲା। କିନ୍ତୁ ରାସ୍ତା ନିର୍ମାଣ ଏତେ ନିମ୍ନମାନର ହୋଇଥିଲା ଯେ ଗୋଡ଼ରେ ଆଡ଼େଇ ଦେଲେ ସବୁ ପିଚୁ ଉଠି ଯାଉଥିଲା। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକାଦାର ଗ୍ରାମବାସୀଙ୍କ କଥା ଶୁଣୁନଥିଲା। ତେଣୁ ଶେଷରେ ଗ୍ରାମବାସୀ ଏକତ୍ରିତ ହୋଇ ଜିଲ୍ଲା ପରିଷଦ ମେମ୍ବର ବିଜୟ ବୈରାଗୀଙ୍କୁ ଡାକି ରାସ୍ତା ନିର୍ମାଣ କାର୍ଯ୍ୟ ଦେଖାଇଥିଲେ। ପରେ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମବାସୀ ଏକତ୍ରିତ ହୋଇ ସୋମବାର ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ।

ଜିଲ୍ଲା ପରିଷଦ ବିଜୟ ବୈରାଗୀଙ୍କ କହିବାନୁଯାୟୀ, ସେ ବିଭାଗୀୟ ଯନ୍ତ୍ରୀ ହେମ୍ବ୍ରମଙ୍କୁ ରାସ୍ତା ନିର୍ମାଣରେ ଦୁର୍ନୀତି ହେଉଥିବା ନେଇ ପଚାରିବାରୁ ସେ ରାସ୍ତା ନିର୍ମାଣ କାର୍ଯ୍ୟ ଠିକାଦାରଙ୍କୁ ବନ୍ଦ କରିବାକୁ କହିଥିଲେ ମଧ୍ୟ ଠିକାଦାର ଶୁଣୁନଥିବା କହିଥିଲେ। ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ନଆସିବା ସହ ସେମାନଙ୍କ ମଧ୍ୟରେ ସଲାସୁତୁରା ହୋଇ ପିସି ଖାଇ ଏପରି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଇରିଗେସନ ବିଭାଗର ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ପ୍ରଧାନଙ୍କୁ ପଚାରିବାରୁ ଏଯାଏଁ କାମର କୌଣସି ବିଲ ହୋଇନାହିିଁ। ଆଉ ଯଦି ଏପରି ଅଭିଯୋଗ ଆସେ ତା’ହେଲେ ଆମେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସୂଚନା ଦେଇଥିଲେ। ତେବେ ଇରିଗେସନ ବିଭାଗର ଏପରି ରାସ୍ତା ନିର୍ମାଣରେ ଦୁର୍ନୀତି ପୂର୍ବରୁ ମଧ୍ୟ ଦେଖାଦେଇଛି। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଉତ୍ତମମାନର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ପୂର୍ବଭଳି କୌଣସି ଦୁର୍ନୀତି ପରିଲକ୍ଷିତ ହୁଏ ତା’ହେଲେ ଆଗାମୀ ଦିନରେ ଇରିଗେସନ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।