ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁଗୁମ୍ମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ନୋମୋର ଇଣ୍ଡିଆର ରାଜ୍ୟ ମୁଖ୍ୟ ଅଧିକାରୀ ଡା.ବିଶ୍ୱଜିତ ମହାପାତ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡା. ସୁନୀଲ କୁମାର ଦାସ, ଜିଲ୍ଲା ମଶାବାହିତ ରୋଗ ପରାମର୍ଶଦାତା ଅଜିତ କୁମାର ଦଳେଇ ଓ ତନ୍ମୟ କୁମାର ବାଛାର ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ମ୍ୟାଲେରିଆ ରଥର ଶୁଭାରମ୍ଭ କରିଥିଲେ। ମ୍ୟାଲେରିଆ ନୋମୋର ଇଣ୍ଡିଆ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା। ଏହି ରଥ ସ୍ୱାଭିମାନ ଅଞ୍ଚଳର ୩୦ଟି ଗ୍ରାମରେ ମ୍ୟାଲେରିଆ, ଡେଙ୍ଗୁ, ଜାପାନି ଜ୍ୱର ରୋଗ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିବା ସହ ରାତିରେ ଶୋଇବା ବେଳେ ଔଷଧଯୁକ୍ତ ମଶାରୀ ବ୍ୟବହାର ଓ ଜ୍ୱର ହେଲେ ରକ୍ତ ପରିକ୍ଷା ଆଦି ବିଷୟରେ ବ୍ୟାପକ ଜନସଚେତନତା କରାଯିବ ବୋଲି ସ୍ୱାସ୍ୱ୍ୟ ଅଧିକାରୀ ଡା.ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଓ ହରପ୍ରସାଦ ତାରିଣୀ ଓ ଲ୍ୟାବ ଟେକ୍ନିସିଆନ ପଦ୍ମଚରଣ ପଣ୍ଡା ସୁପରିଚାଳନା କରିଥିଲେ।