ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବଢ଼ିବାକୁ ଲାଗିଛି। ମୁମ୍ବାଇ ଓ ପୁଣେ ସହିତ ନାଗପୁରରେ ମଧ୍ୟରେ ସ୍ଥିତି ଉଦବେଗଜନକ ରହିଛି। ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ନାଗପୁରରେ ଲକଡାଉନ ଅବଧିକୁ ଆସନ୍ତା ୩୧ ତାରିଖକୁ ବୃଦ୍ଧି କରାଯାଇଛି। ଏହି ସମୟରେ ପରିବା ଦୋକାନ, ରାସନ ଦୋକାନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ।
ଏନେଇ ମନ୍ତ୍ରୀ ନିତୀନ ରାୱତ କହିଛନ୍ତି କି ନାଗପୁର ସହରକୁ କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ସଂଖ୍ୟାରେ ସୁଧାର ଆସି ନଥିବାରୁ ଏହାକୁ ଆସନ୍ତା ୩୧କୁ ବୃଦ୍ଧି କରାଯାଇଛି। ଏହି ସମୟରେ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିବ, ହେଲେ ନିର୍ଦ୍ଧାରିତ ହୋଇସାରିଥିବା ପରୀକ୍ଷା ଗୁଡ଼ିକ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ।
ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ନାଗପୁରରୁ ୩୬୭୯ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫଳରେ ନାଗପୁର ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୮୯ ହଜାର ୪୬୬ରେ ପହଞ୍ଚିଛି। ଯେଉଁଥିରୁ ୪୫୯୨ ଜଣଙ୍କ ମୃତ୍ୟୁ ହୋଇସାରିଛି।