ନୂଆଦିଲ୍ଲୀ,ଏଜେନ୍ସି: ଗତ ଏକ ବର୍ଷ ଧରି ପୃଥିବୀର ଗତିବିଧିରେ ଅସ୍ଥିରତା ଦେଖିବାକୁ ମିଳୁଛି। ଏହି ସମୟରେ, ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ମ୍ୟାଗ୍ନିଚ୍ୟୁଡ୍ ରହିଛି। ଏହା ପରେ ସ୍ଥାନୀୟ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଏନେଇ ସମୁଦ୍ର ଉପକୂଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।
ଜାପାନର ନ୍ୟାସନାଲ ସେଣ୍ଟରଫର ସିସମୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ହଠାତ୍ ଭୂକମ୍ପ ଅନୁଭୂତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ବାହରକୁ ପଳାଇଆସିଥିଲେ। ତେବେ ଏହି ଭୂକମ୍ପରେ ଧନଜୀବନ ହାନି ନେଇ କୌଣସି ସୂଚନା ମିଳିନାହିଁ।
ଏହି ଭୂକମ୍ପ ଇଶିନୋମାକି ଠାରୁ ୩୪ କିଲୋମିଟର ପୂର୍ବରେ ୬୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଛି। ତେବେ ତୀବ୍ରତା ଅଧିକ ଥିବାରୁ ସୁନାମି ଆସିବାର ଆଶଙ୍କା ଅଧିକ ବଢ଼ିଯାଇଛି। ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯିବା ସହ ଦେଶର ଉତ୍ତର-ପୂର୍ବ ଉପକୂଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।