ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଆଇନ ମଦ କାରବାର କରୁଥିବା ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୫ଲିଟର ଦେଶୀ ମଦ ଜବତ କରାଯିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ସୂତ୍ରରୁ ମିଳଥିବା ସୂଚନାନୁଯାୟୀ, ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀମାନେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ପେଟ୍ରୋଲ ପମ୍ପ ସାହି, ହାତିସାଲ ସାହି ଓ ପ୍ରଧାନସାହିରେ ବେଆଇନ ନିଶା କାରବାର ହେଉଥିବା ସୂଚନା ପାଇ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପେଟ୍ରୋଲ ପମ୍ପ ସାହିର ଅଜିତ ହସ୍ତୀ, ହାତିସାଲ ସାହିର ବିନୋଦ ଖଡ଼ିଆ, ପ୍ରଧାନ ସାହିର ରଞ୍ଜିତ ଶୋଲେ, ଶଶୀ ମୁଣ୍ଡା ଓ ଅଜିତ ଶୋଲେଙ୍କ ଘରୁ ୭୦ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ସହ ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ସାମଗ୍ରୀ ଜବତ କରିଥିଲେ। ଏଥିସହ ଉପରୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଜିତ ହସ୍ତୀ ଓ ବିନୋଦ ଖଡ଼ିଆକୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଚଢ଼ଉ ବେଳେ ପୁରୁଣାଗଡ଼ର ଟିରନ ମହାନନ୍ଦ ଫେରାର ହୋଇଯାଇଥିବା ଜଣାପଡ଼ିଛି ।