କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ୍ ଥାନା ପୁଲିସ୍ ସୁନା ଚେନ୍ ଲୁଟି ନେବା ଘଟଣାରେ ଜଣେ ଯୁବକକୁ ଗିରଫ କରିବା ସହ ୪୦ ଗ୍ରାମ ଓଜନର ୨ଟି ସୁନାଚେନ୍ ଉଦ୍ଧାର କରିଥିବା ଟାଉନ ଥାନା ଏସଡିପିଓ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି। ଗିରଫ ଯୁବକ ଜଣକ କୋରାପୁଟ ଇନ୍ଦିରା ଆବାସ କଲୋନୀର ସୁନୀଲ୍ ଖରା(୨୪) ବୋଲି ଜଣାପଡ଼ିଛି। ଟାଉନ୍ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଗତ ୧୫ତାରିଖ ଅପରାହ୍ନ୍ନରେ କୋରାପୁଟ ସହର ଭାଣ୍ଡିସାହିର ଚମ୍ପା ବେହେରା ନାମକ ଜଣେ ବୃଦ୍ଧା ଘର ସମ୍ମୁଖରେ ଥିବାବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ବେକରୁ ୨୦ ଗ୍ରାମ ଓଜନର ସୁନାଚେନ୍ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।
ସେହିପରି ୪ତାରିଖରେ ମଧ୍ୟ କୋରାପୁଟ ହାଉସିଂ ବୋର୍ଡ କଲୋନୀର ଦୋକାନରେ ବସିଥିବା ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ୨ଟି ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ କରିଥିଲା। ସବଇନ୍ସପେକ୍ଟର ସୂଦର୍ଶନ ଅଧିକାରୀ ଏବଂ ଚିତ୍ତରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ସିସି ଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ଜାଗାରେ ତଦନ୍ତ ଜାରି ରହିଥିଲା। ଗୁରୁବାର ଅପରାନ୍ନ ୪ଟାରେ ଗିରଫ ଅଭିଯୁକ୍ତ ସୁନୀଲ୍ ଖରା ଗୋଟିଏ ଚେନ୍ ବିଶ୍ୱାମିତ୍ର ନଗରରେ ବନ୍ଧା ପକାଇବାକୁ ଉଦ୍ୟମ କରୁଥବାବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍ ଟିମ୍ ସୁନୀଲକୁ କାବୁ କରି ନେଇଥିଲା। ୪ତାରିଖ ଚୋରି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ଥିବା ପୁଲିସ୍ ନିକଟରେ ସ୍ୱୀକାର କରିବା ପରେ ପୁଲିସ୍ ଅନ୍ୟ ଏକ ସୁନା ଚେନ୍ ତା’ ଘରୁ ଜବତ କରିଥିବା ଏସଡିପିଓ ପ୍ରକାଶ କରିଛନ୍ତି। ବୟସ୍କ ପୁରୁଷ କିମ୍ବା ମହିଳାଙ୍କଠାରୁ ସୁନା ଚେନ୍ ଝାମ୍ପି ନେବା ସହଜ ହୋଇଥିବାରୁ ଲୁଟେରାଙ୍କ ପ୍ରଥମ ଟାର୍ଗେଟରେ ବୟସ୍କମାନେ ରହୁଥିବା ଜଣାପଡ଼ିଛି। ୨ଟି ଚେନର ମୂଲ୍ୟ ପାଖାପାଖି ୧ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ପୁଲିସ୍ ଉଦ୍ଧାର କରିଥିବା ୨ଟି ଚେନ୍ ଗୁରୁବାର ଅଭିଯୋଗକାରୀଙ୍କୁ ପୁଲିସ୍ ହସ୍ତାନ୍ତର କରିଥିବାବେଳେ ଗିରଫ ଲୁଟେରାକୁ କୋର୍ଟ ଚାଲାଣ କରିଛି। ମହାମାରୀ କରୋନା ଯୋଗୁ ଯୁବଗୋଷ୍ଠୀ ରୋଜଗାର ହରାଇଥିବାବେଳେ ଅର୍ଥାଭାବକୁ ଦୂର କରିବାକୁ ଚୋରି, ଲୁଟ୍ ଭଳି ସହଜ ଉପାୟକୁ ଆପଣାଉଥିବା ଚର୍ଚ୍ଚା ହେଉଛି। ବରିଷ୍ଠ ନାଗରିକ ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପୁଲିସ୍ ପକ୍ଷରୁ ସଚେତନତା ସୃଷ୍ଟି କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଧୀରେନ୍ ପଟ୍ଟନାୟକ, ସବଇନ୍ସପେକ୍ଟର ସୂଦର୍ଶନ ଅଧିକାରୀ ଓ ଚିତ୍ତରଞ୍ଜନ ପ୍ରଧାନୀ ଉପସ୍ଥିତ ଥିଲେ।