ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ବଡ଼ତଇଲା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବଣାଇ ବନଖଣ୍ଡ ଅଞ୍ଚଳରୁ ଗତକାଲି ସକାଳେ ଏକ ୧୦/୧୨ ବର୍ଷୀୟ ଦନ୍ତାହାତୀ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମ ନିକଟସ୍ଥ ବଡ଼ତଇଲା ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ତେବେ ହାତୀଟିର ପାଟିରୁ ଲାଳ ବାହାରିବା ସହ ସେ ସମ୍ପୂର୍ଣ ଦୁର୍ବଳ ହୋଇ ପଡ଼ିଥିଲା। ଏସମ୍ପର୍କ ରେ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଭୁବନେଶ୍ୱରସ୍ଥିତ ପ୍ରାଣୀ ସମ୍ପଦ ବିଭାଗ ବିଶାରଦ ଡାକ୍ତର ନିରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରି ଆଜି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମଧ୍ୟାହ୍ନରେ ମୃତ୍ୟୁ ଘଟିଥିଲା। ପରେ ବାରକୋଟ ପ୍ରାଣୀ ବିଭାଗ ଡାକ୍ତର ଡାକ୍ତର ଦୀପକ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ହାତୀଟିର ମୃତଦେହ ବ୍ୟବଛେଦ କରାଯାଇ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା। ହାତୀର ପାଟି ମଧ୍ୟରେ ଏକ ଟ୍ୟୁମର ସୃଷ୍ଟି ହୋଇଥିବା କାରଣରୁ ସେ ଖାଦ୍ୟ ଗ୍ରହଣ କରିନପାରି ଦୁର୍ବଳ ହୋଇପଡ଼ି ଅନାହାର ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି।