ନୂଆଦିଲ୍ଲୀ, ଏଜେନ୍ସି: ଆଷ୍ଟ୍ରାଜେନିକା କୋଭିଡ୍ ଟିକା ନିରାପଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚଓର ୟୁରୋପୀୟ ନିର୍ଦ୍ଦେଶକ ହାନସକ୍ଲୁ ଗେ କହିଛନ୍ତି, ୟୁରୋପୀୟ ଔଷଧ ନିୟନ୍ତ୍ରକ ଏବେ ଏହି କୋଭିଡ୍ ଟିକାର କାର୍ଯ୍ୟକାରିତା ସମ୍ପର୍କରେ ଅନୁସନ୍ଧାନ କରୁଛନ୍ତି। ଏହି କୋଭିଡ୍ ଟିକା ନେଉଥିବା ଲୋକଙ୍କ ମଧ୍ୟରୁ ଅଳ୍ପ କେତେକଙ୍କ କ୍ଷେତ୍ରରେ ରକ୍ତଜମାଟ ବାନ୍ଧିବା ଭଳି ଅଭିଯୋଗ ଆସୁଛି। ଏହି କାରଣରୁ ୟୁରୋପୀୟ ସଂଘ ସଦସ୍ୟଭୁକ୍ତ କେତେକ ରାଷ୍ଟ୍ର ଆଷ୍ଟ୍ରାଜେନିକା ଟିକା ପ୍ରଦାନ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। କିନ୍ତୁ ଅଧିକାଂଶଙ୍କ କ୍ଷେତ୍ରରେ ଟିକାକରଣର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥିବା ଜଣାପଡ଼ିଛି। ତେଣୁ ଏହି ଟିକା ପ୍ରଦାନ ଜାରି ରହିବା ଉଚିତ୍ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଡବ୍ଲ୍ୟୁଏଚଓର ମୁଖପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ ଡବ୍ଲ୍ୟୁଏଚଓର ଏ ପ୍ରକାର ଆଶ୍ୱାସନା ସତ୍ତେ୍ୱ ଜର୍ମାନୀ, ଫ୍ରାନ୍ସ, ଇଟାଲୀ ସମେତ ୧୩ଟି ୟୁରୋପୀୟ ରାଷ୍ଟ୍ର ଏହି ଟିକାର ବ୍ୟବହାର ବନ୍ଦ କରିଦେଇଛନ୍ତି।