ୱାଶିଂଟନ୍,ଏଜେନ୍ସି: ଆଫଗାନିସ୍ତାନରେ ଏବେ ୨୫୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ଆମେରିକା ଏହି ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ମେ’ ୧କୁ ଡେଡଲାଇନ୍ ଭାବେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମେ’ ୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ରାଷ୍ଟ୍ରପତି ଜୋ ବାଇଡ଼େନ କହିବା ପରେ ଏଥିରେ ତାଲିବାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାଇଡ଼େନ କହିଛନ୍ତି, କେବେ ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ହଟିବେ ତାହା ଏବେ କହିହେବ ନାହିଁ। ସେ ଆମେରିକା ପ୍ରସାରଣ ସଂସ୍ଥା ଏବିସିକୁ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିନିଆଗଲେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ବାଇଡ଼େନଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ତାଲିବାନ। ତାଲିବାନର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ଆମେରିକା ସୈନ୍ୟ ପ୍ରତ୍ୟାହାର ନକଲେ ପରିଣତି ସାଂଘାତିକ ହେବ। ସେ ଆହୁରି କହିଛନ୍ତି, ଯେକୌଣସି କାରଣରୁ ଯଦି ସୈନ୍ୟ ପ୍ରତ୍ୟାହାର କରାନଯାଏ, ତା’ହେଲେ ପରିଣତି ପାଇଁ ସେମାନେ ଦାୟୀ ରହିବେ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମସ୍କୋରେ ଆଫଗାନ ନେତା, ବିରୋଧୀ ଦଳ ନେତା ଏବଂ ତାଲିବାନ ମଧ୍ୟସ୍ଥିଙ୍କ ସହ ଆମେରିକା, ଋଷିଆ, ଚୀନ୍ ଓ ପାକିସ୍ତାନର ପ୍ରତିନିଧି ଦଳ ଆଲୋଚନା କରିବାର ଦିନକ ପୂର୍ବରୁ ବାଇଡ଼େନ ଏକ ସାକ୍ଷାତକାର ଏହା କହିଛନ୍ତି। ଇତିମଧ୍ୟରେ ଆମେରିକାର କେତେକ ଅଧିକାରୀ ତଥା ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି, ଶାନ୍ତି ବୁଝାମଣା ପୂର୍ବରୁ ଆମେରିକା ନେତୃତ୍ୱାଧୀନ ସୈନ୍ୟ ଆଫଗାନିସ୍ତାନରୁ ନ ହଟିଲେ ସେଠାରେ ଏକ ନୂଆ ଗୃହଯୁଦ୍ଧର ଅୟମାରମ୍ଭ ହୋଇପାରେ। ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୧୧ ହମ୍ଲା ପରେ ୨୦୦୧ରେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିବା ପରଠାରୁ ଏପର୍ଯ୍ୟନ୍ତ ସେଠାରେ ଏତେ କମ୍ ସଂଖ୍ୟାରେ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି।