ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହାଁନ୍ତି ବୋଲି କହିବାର ଦିନକ ପରେ ସେଠାକାର ସେନାଧ୍ୟକ୍ଷ କ୍ୱାମାର ଜାଭେଦ ବାଜୱା ଭାରତ- ପାକ୍ ଅତୀତକୁ ଭୁଲି ଆଗକୁ ବଢିବା ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ଅତୀତକୁ ପଛରେ ପକାଇ ଆଗକୁ ଅଗ୍ରସର ହୁଅନ୍ତୁ। ଗୁରୁବାର ଇସଲାମାବାଦ ସୁରକ୍ଷା ସମ୍ମିଳନୀରେ ସମ୍ବୋଧନ କରି ଜେନେରାଲ ବାଜୱା କହିଛନ୍ତି, ଦକ୍ଷିଣ ଓ କେନ୍ଦ୍ର ଏସିଆରେ ଯେଉଁ ସମ୍ବଳର ଭଣ୍ଡାର ରହିଛି ତା’ର ଅସଲ ଚାବି ହେଉଛି ଭାରତ-ପାକ୍ ସମ୍ପର୍କରେ ସ୍ଥିରତା। ଏହାଦ୍ୱାରା ପୂର୍ବ ଓ ପଶ୍ଚିମ ଏସିଆର ସଂଯୋଗୀକରଣ ସୁନିଶ୍ଚିତ ହୋଇପାରିବ।
ଜେନେରାଲ ବାଜୱା ଆହୁରି କହିଛନ୍ତି, ଏହା ନିଶ୍ଚିତ ଯେ ବିବାଦର ଅସଲ କାରଣ ହେଉଛି କଶ୍ମୀର ପ୍ରସଙ୍ଗ। ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ବିବାଦର ସମାଧାନ ନହେଲେ ଏହି ଉପମହାଦେଶରେ ସବୁବେଳେ ସନ୍ଦେହର ବାତାବରଣ ଲାଗିରହି ପରିସ୍ଥିତି ଅଧିକ ଜଟିଳ ହେବ। ଏ ଦୃଷ୍ଟିରୁ ଆମର ପଡ଼ୋଶୀକୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ବିଶେଷକରି ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଏଭଳି ପଦକ୍ଷେପ ନେବାକୁ ହେବ। ଉଲ୍ଲେଖଯୋଗ୍ୟ ଗତମାସରେ ଭାରତ ପକ୍ଷରୁ କୁହାଯାଇଥିଲା ଯେ, ପାକିସ୍ତାନ ସହ ସୁସମ୍ପର୍କ ରଖିବାଲାଗି ନୂଆଦିଲ୍ଲୀ ଆଗ୍ରହୀ। କିନ୍ତୁ ଆତଙ୍କବାଦ, ଆକ୍ରମଣାତ୍ମକ ମନୋଭାବ ଏବଂ ହିଂସାକାଣ୍ଡ ବନ୍ଦ ନହେଲେ ଏହା ସମ୍ଭବ ହେବନାହିଁ। ତେଣୁ ପାକିସ୍ତାନକୁ ପ୍ରଥମେ ଏଥିପାଇଁ ପଦକ୍ଷେପ ନେବାକୁ ହେବ ବୋଲି ଭାରତ କହିଛି। ଗତ ବୁଧବାର ଇମ୍ରାନ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କହିଥିଲେ, ଶାନ୍ତି ଫେରାଇ ଆଣିବା ଲାଗି ପାକିସ୍ତାନ ଉଦ୍ୟମ କରୁଛି। କିନ୍ତୁ ସମ୍ପର୍କରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଭାରତ ପ୍ରଥମେ ପଦକ୍ଷେପ ନେବା ଆବଶ୍ୟକ। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଦ୍ୱାରା କେନ୍ଦ୍ର ଏସିଆକୁ ସିଧାସଳଖ ବାଟ ଖୋଲିଯିବ ଏବଂ ଏହାଦ୍ୱାରା ଭାରତ ଆର୍ଥିକ କ୍ଷେତ୍ରରେ ଅଧିକ ଲାଭବାନ ହେବ ବୋଲି ଇମ୍ରାନ କହିଥିଲେ।