ବାଇଡେନଙ୍କୁ କିମଙ୍କ ଚେତାବନୀ : ଆମ ଲାଞ୍ଜରେ ହାତ ମାରନି

ପୋୟାଙ୍ଗୟାଙ୍ଗ୍,ଏଜେନ୍ସି: ଆମେରିକା ଓ ଉତ୍ତର କୋରିଆ ସମ୍ପର୍କକୁ ନେଇ ସବୁବେଳେ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହେବା ସ୍ୱାଭାବିକ୍। ସାମରିକ ଦୃଷ୍ଟିକୋଣରୁ ଆମେରିକା ତୁଳନାରେ ଉତ୍ତର କୋରିଆ ଏତେଟା ଶକ୍ତିଶାଳୀ ହୋଇନଥିବା ସତ୍ତେ୍ୱ ଏହାର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନଙ୍କୁ ମୁହଁଫୁଟାଣି ତଥା ନିୟମିତ ଧମକ ଆମେରିକା ପାଇଁ ସବୁବେଳେ ମୁଣ୍ଡବିନ୍ଧାର କାରଣ ପାଲଟି ଆସୁଛି। ଏହାର ଏକମାତ୍ର କାରଣ ହେଉଛି ଉତ୍ତର କୋରିଆ ନିକଟରେ ବିଭିନ୍ନ ଧରଣର ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ଏବଂ ସାମାନ୍ୟତମ ପରିସ୍ଥିତି ଉପୁଜିଲେ, ଏହାର କ୍ଷେପଣାସ୍ତ୍ରଗୁଡିକ ଆମେରିକା ଆଡକୁ ମୁହାଁଇବ ବୋଲିି ଉନ୍ ସବୁବେଳେ ଧମକ ଦେଇଆସୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ତାଙ୍କ ଶାସନକାଳର ପ୍ରାରମ୍ଭରେ ଉତ୍ତର କୋରିଆର ଏଭଳି ଧମକକୁ ହେୟଜ୍ଞାନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଉନଙ୍କ ସହ ଭିତିରିଆ ବୁଝାମଣା କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। ବର୍ତ୍ତମାନ ଟ୍ରମ୍ପ ଯୁଗର ଅବସାନ ଘଟିଥିବାବେଳେ ଜୋ ବାଇଡେନ୍ ନୂଆ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିସାରିଲେଣି। ଶପଥ ନେବାର ପ୍ରାୟ ଦୁଇ ମାସ ପାଖାପାଖି ହୋଇଥିଲେ ସୁଦ୍ଧା ବାଇଡେନ୍ ଏପର୍ଯ୍ୟନ୍ତ ଉତ୍ତର କୋରିଆ ପ୍ରସଙ୍ଗରେ ପଦେ ହେଲେ ମନ୍ତବ୍ୟ ଦେଇନାହାନ୍ତି। ଏହା ସତ୍ତେ୍ୱ ତାଙ୍କୁ ଉତ୍ତର କୋରିଆରୁ ଚେତାବନୀ ମିଳିବା ଆରମ୍ଭ ହୋଇଛି। ଉନଙ୍କ ପ୍ରଭାବଶାଳୀ ଭଉଣି ତଥା ତାଙ୍କର ମୁଖ୍ୟ ପରାମର୍ଶଦାତା କିମ୍ ୟୋ ଜୋଙ୍ଗ୍ ଇତିମଧ୍ୟରେ ବାଇଡେନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ଶୋଇବାକୁ ଚାହୁଁଥାଅ, ତେବେ ଆମ ଲାଞ୍ଜରେ ହାତ ମାରିବାକୁ ସାହସ କର ନାହି ବୋଲି ଜୋଙ୍ଗ୍ କହିଛନ୍ତି। ଏଥିରେ ବ୍ୟତିକ୍ରମ ଘଟିଲେ, ଆମେ ତୁମର ନିଦ ହଜାଇବାକୁ ପଶ୍ଚାତପଦ ହେବୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଆମେରିକାର ବିଦେଶମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଓ ପେଣ୍ଟାଗନ ମୁଖ୍ୟ ଲୟଡ୍ ଅଷ୍ଟିନ ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ଗସ୍ତରେ ଆସି ମିଳିତ ସମରାଭ୍ୟାସ ସମ୍ପର୍କରେ ଆଲୋଚନା କରିଛନ୍ତି। ଉତ୍ତର କୋରିଆର ପ୍ରାଦୁର୍ଭାବକୁ ରୋକିବାକୁ ଏହା ଆମେରିକାର ଏକ ଚାଲ୍ ବୋଲି କିମ୍ ଅନୁଭବ କରି ଉପରୋକ୍ତ ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି। ଉତ୍ତର କୋରିଆ ବିରୋଧରେ ଏକାଧିକ ଆନ୍ତର୍ଜାତିକ କଟକଣା ଲାଗୁ କରାଯାଇଥିଲେ ସୁଦ୍ଧା ଏହି ରାଷ୍ଟ୍ର ନିଜର ପରମାଣୁ କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ ଆଗେଇ ନେଉଛି। ଉତ୍ତର କୋରିଆ ଅପେକ୍ଷା ଚୀନ୍ ପ୍ରତି ନିଜର ବୈଦେଶିକ ନୀତିକୁ ସଜାଡିବାକୁ ବାଇଡେନ୍ ପ୍ରଶାସନ ବର୍ତ୍ତମାନ ଅଗ୍ରାଧିକାର ଦେଉଥିବାବେଳେ ଉତ୍ତର କୋରିଆ କିନ୍ତୁ କୌଣସି ପରିସ୍ଥିତିରେ ଆମେରିକା ସହ ସାଲିସ କରିବାକୁ ଚାହୁଁନାହିଁ।