ବିଶ୍ୱର ସର୍ବାଧିକ ପ୍ରଦୂଷିତ ୩୦ଟି ସହର ତାଲିକାରେ ଭାରତର ୨୨ ସହର

ନୂଆଦିଲ୍ଲୀ, ଏଜେନ୍ସି: ସୁଇଜରଲଲାଣ୍ଡର ଆଇକ୍ୟୁଏୟାର ସଂସ୍ଥା ପକ୍ଷରୁ ୨୦୨୦ ମସିହା ନିମନ୍ତେ ବିଶ୍ୱର ୩୦ଟି ସବୁଠାରୁ ଅଧିକ ପ୍ରଦୂଷିତ ସହରର ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଭାରତର ୨୨ଟି ସହର ଏଥିରେ ସ୍ଥାନ ପାଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଚୀନର ଜିନଜିଆଙ୍ଗ୍ ସହର ତାଲିକାର ସର୍ବାଗ୍ରେ ରହିଥିବାବେଳେ ଏହା ପଛକୁ ଶ୍ରେଷ୍ଠ ୧୦ରେ ଭାରତର ୯ଟି ସହର ସ୍ଥାନ ପାଇଛି। ତେବେ ୨୨ଟି ଭାରତୀୟ ସହରଗୁଡିକ ହେଲା ନୂଆଦିଲ୍ଲୀ (ଭାରତର ରାଜଧାନୀ), ଗାଜିଆବାଦ, ବୁଲନ୍ଦସହର, ବିସ୍ରାଖ୍ ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷେ୍ନø, ମିରଟ୍, ଆଗ୍ରା, ମୁଜାଫରନଗର (ଉତ୍ତର ପ୍ରଦେଶର ସବୁ ସହର), ଭିୱାରି(ରାଜସ୍ଥାନ), ଫରିଦାବାଦ, ଜିନ୍ଦ୍, ହିସାର, ଫତେହାବାଦ, ବନ୍ଧ୍ୱାରି, ଗୁରୁଗ୍ରାମ, ଯମୁନା ନଗର, ରୋହତକ୍, ଧାରୁହେରା (ହରିୟାଣାର ସବୁ ସହର) ଓ ଶେଷରେ ମୁଜଫରପୁର (ବିହାର)। ଯଦିଓ ନୂଆଦିଲ୍ଲୀ ତାଲିକାର ୧୦ମ ସ୍ଥାନରେ ରହିଛି, ତଥାପି ରାଜଧାନୀ ଭାବେ ନୂଆଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରଭାବେ ଶୀର୍ଷ ମାନ୍ୟତା ଲାଭ କରିଛି।

୧୦୬ଟି ରାଷ୍ଟ୍ରର ସହରଗୁଡିକୁୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଉକ୍ତ ସହରଗୁଡିକର ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ସର୍ଭେରେ ଗୁରୁତ୍ୱ ଦିଆଯାଇଛି। ୨୦୨୦ରେ କୋଭିଡ୍ ଯୋଗୁଁ ଯାନବାହନ ଚଳାଚଳରେ କଟକଣା ଲାଗୁ କରାଯାଇଥିଲା, ଫଳରେ ଅଧିକାଂଶ ସହରର ବାୟୁମଣ୍ଡଳରେ ସ୍ୱଚ୍ଛତା ପରିଲକ୍ଷିତ ହୋଇଥିଲା ବୋଲି ଗ୍ରୀନ୍ପିସ୍ ଇଣ୍ଡିଆ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ଜଳବାୟୁ ପରିବେଶବିତ୍ ଅବିନାଶ ଚଞ୍ଚଲ କହିଛନ୍ତି। ପାକିସ୍ତାନର ଲାହୋର ଏହି ତାଲିକାର ୧୮ଶ ସ୍ଥାନରେ ଥିବାବେଳେ ବାଂଲାଦେଶର ରାଜଧାନୀ ଢାକା ୨୩ତମ ସ୍ଥାନ ଅଧିକାର କରିଛି।