ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ବାରକୋଟ ଥାନା ପୁଲିସ ଆଜି ଭୋରରୁ ଜଣେ ଯୁବକଙ୍କୁ ଗିରଫ କରିବା ସହ ତା’ ନିକଟରୁ ଗଞ୍ଜେଇ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି। ପୁଲିସ ସୂଚନା ଅନୁସାରେ ଗତକାଲି ରାତ୍ରିରେ ରିଆମାଳ ପଟୁ ସଇଡ଼ା ଗ୍ରାମ ଅଭିମୁଖେ ଏକ ବୋଲେରୋ(ଓଆର-୦୯କ୍ୟୁ-୮୭୫୪) ଯୋଗେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଓ ଏସଆଇ ଦେବବ୍ରତ ନାୟକ ସଦଳବଳେ ବାହାଡ଼ାପଶି ଛକଠାରେ ଛକି ରହିଥିଲେ।
ଆଜି ଭୋରରୁ ଉକ୍ତ ବୋଲେରୋଟି ବାହାଡ଼ାପଶି ଛକ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ବାରକୋଟ ଥାନା ପୁଲିସ ଗାଡିକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ମଧ୍ୟରୁ ଏକ ବସ୍ତା ମଧ୍ୟରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ପୁଲିସ ଉକ୍ତ ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ସହ ଗାଡିରେ ଥିବା ସଇଡା ଗ୍ରାମର ଲୁଲୁ ସାହୁ(୩୮)କୁ ଗିରଫ କରିଛି। ଆଜି ସକାଳେ ମାଜିଷ୍ଟ୍ରେଟ ଭାବେ ବାରକୋଟ ତହସିଲଦାର ବର୍ଷିୟସ ଡୁଙ୍ଗଡୁଙ୍ଗଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ଏହା ୮ କେଜିରୁ ଊର୍ଦ୍ଧ୍ୱ ଥିବା ଜଣାପଡ଼ିଛି। ସେହିପରି ଗିରଫ ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବାରକୋଟ ଥାନା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।