ମୁମ୍ବାଇ,ଏଜେନ୍ସି: ଗିରଫ ହୋଇଛନ୍ତି ବିବାଦୀୟ ପୁଲିସ ଅଫିସର ସଚିନ ୱାଜେ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ତାଙ୍କୁ ଗିରଫ କରିଛି। ଶନିବାର ଦୀର୍ଘ ୧୨ ଘଣ୍ଟା କାଳ ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ତାଙ୍କୁ ଗିରଫ କରିଛି। ଏନେଇ ଅନୁସନ୍ଧାନକାରୀ ସଂସ୍ଥାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଆଜି ସଚିନ ୱାଜେଙ୍କୁ କୋର୍ଟରେ ହାଜର କରାଯିବ।
ସଚିନ ୱାଜେଙ୍କୁ ରାତି ୧୧ ଟା ୫୦ ମିନିଟରେ ଗିରଫ କରାଯାଇଛି। ଆଜି ସଚିନ ୱାଜେଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ। ସଚିନଙ୍କ ବିରୋଧରେ ଧାରା ୨୮୬, ୪୬୫, ୪୩୭, ୫୦୬(୨), ୧୨୦ ମାମଲା ରୁଜୁ କରାଯାଇଛି। ଜାଲିଆତି, ବିସ୍ଫୋରକ ପଦାର୍ଥ ପ୍ରତି ଅବହେଳା, ନକଲି ସିଲ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ। ଏହା ପୂର୍ବରୁ ଶନିବାର ଜାମିନ ପାଇଁ ସେ କୋର୍ଟରେ ଆବେଦନ କରିଥିଲେ। ସଚିନଙ୍କୁ ଜେରା କରିବା ଆବଶ୍ୟକ କହି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
ଫେବୃଆରୀ ୨୫ରେ ଦକ୍ଷିଣ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନର ଆଣ୍ଟିଲିଆ ନିକଟରୁ ଏକ ସ୍କର୍ପିଓରୁ ଜିଲେଣ୍ଟିନ ଜବତ ହୋଇଥିଲା। ଏହି ଗାଡି ରଖିବା ସମ୍ପୃକ୍ତିରେ ସଚିନଙ୍କୁ ଗିରଫ କରାଯାଇଛି। ବିସ୍ଫୋରକ ଭର୍ତ୍ତି କାର ଯୋଗୁଁ ମାଲିକ ମନସୁଖ ହିରେନଙ୍କୁ ଜେରା କରାଯାଇଥିଲା। ଏହା କିଛି ଦିନ ପରେ ହିରନର ମୃତଦେହ ଥାନେ ଜିଲ୍ଲାର କ୍ରିକ ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ହିରେନଙ୍କ ପରିବାର ଲୋକେ ସଚିନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ଅମ୍ବାନୀଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପରେ ମହାରାଷ୍ଟ୍ର ପୁଲିସ ସଚିନଙ୍କ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦେଇଥିଲେ। ସଚିନ ୱାଜେ ସେତେବେଳେ କ୍ରାଇମବ୍ରାଞ୍ଚରେ ଥିଲେ। ଏଟିଏସ ମଧ୍ୟ ହିରେନ ମାମଲାର ଯାଞ୍ଚ କରୁଛି।