ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମଣ ସମ୍ପର୍କରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ବୋଲି କହିଛନ୍ତି। ଏଥିସହିତ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆପଣ ମାନଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି। ଏଦିଗରେ ଓଡ଼ିଶାର ପଦକ୍ଷେପକୁ ହୁ ମଧ୍ୟ ସ୍ୱାଗତ କରିଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳେ ରହୁଛି।

ଏଥିସହିତ ସେ କହିଛନ୍ତି କି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍ ନୁହେଁ। କାରଣ ଏବେ ବି ଭାରତରୁ କରୋନା ବିପତ୍ତି ଟଳିନାହିଁ। ଏପରିକି ଅନେକ ରାଜ୍ୟରେ କରୋନା ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି। ଏନେଇ ଅନେକ ସ୍ଥାନରେ ଲକଡାଉନ ପୁଣି ଫେରିଛି। ଲକଡାଉନ ଯୋଗୁଁ ଆମର ଅର୍ଥନୀତି, ପିଲାମାନଙ୍କ ପାଠପଢ଼ା, ସାମାଜିକ ଜୀବନରେ ବହୁ କ୍ଷତି ହୋଇଛି। ଏହି ଭୂତାଣୁ ବହୁ କ୍ଷେତ୍ରକୁ ପ୍ରଭାବିତ କରିଛି। ତେଣୁ ଓଡ଼ିଶାରେ ଲକଡାଉନ ଫେରିବାକୁ ଆମେ ଚାହୁଁନୁ। ଲକଡାଉନ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି, ଆମେ ସତର୍କ ରହିବା।

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି, ଆମେ ସମସ୍ତେ ପୂର୍ବ ଭଳି କୋଭିଡ ଗାଇଡଲାଇନ୍ସକୁ କଡ଼ାକଡ଼ି ଭାବେ ପାଳନ କରିବା। ବାହାରକୁ ଗଲେ ମାସ୍କ ବ୍ୟବହାର କରିବା, ଘରକୁ ଫେରିଲେ ସାବୁନରେ ଭଲଭାବେ ହାତ ଧୋଇବା, ମୁହଁ, ନାକ ଓ ପାଟିରେ ବାରମ୍ବାର ହାତ ମାରିବା ନାହିଁ, ହାଟ ବଜାର ଓ ଜନ ଗହଳି ସ୍ଥାନ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି ନ କରିବାକୁ କହିଛନ୍ତି।

ସେହିପରି କରୋନା ମୁକାବିଲା ପାଇଁ ରାଜ୍ୟରେ ଟିକାକରଣ ଜୋରଦାର ଚାଲିଛି। ଏଦିଗରେ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।