ରାୟଗଡ଼ା ଜିଲ୍ଲା ଆଭ୍ୟନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶରେ ତୃତୀୟ- ନୀତି ଆୟୋଗ

ରାୟଗଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗାଁ ଗାଁକୁ ମଧ୍ୟରେ ଯୋଡ଼ାଯାଇ ପାରିବା ସହ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ରମାନ ପ୍ରତିଷ୍ଠା କରି ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି। ଫଳରେ ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ବୋଲି ଜାନୁଆରୀ ମାସର ନୀତି ଆୟୋଗ ଡେଲଟା ରାଙ୍କିଙ୍ଗ୍ ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ୧୧୨ଟି ଆକାଂକ୍ଷା ଜିଲ୍ଲା ମଧ୍ୟରେ ରାୟଗଡ଼ା ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି। ଏହି କ୍ରମରେ ଓଡ଼ିଶାର ଗଜପତି ଜିଲ୍ଲା ପ୍ରଥମ ଓ କୋରାପୁଟ ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗାଁ’କୁ ଗାଁ’ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇ ଯୋଡ଼ାଯାଇଥିବା ବେଳେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅଙ୍ଗନବାଡ଼ି, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ସହ ଗମନାଗମନର ସୁବିଧା ପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଭିତ୍ତିଭୂମିର ବିକାଶ, ପଞ୍ଚାୟତ ସ୍ତରରେ ଇଣ୍ଟରନେଟ ସେବା ଓ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର କୋଣ ଅନୁକୋଣରେ ଜନସେବା କେନ୍ଦ୍ର ନିର୍ମାଣ କରି ରାୟଗଡା ଜିଲ୍ଲା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଗତ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଦେଶରେ ନୀତି ଆୟୋଗ ପକ୍ଷରୁ ଡେଲଟା ରାଙ୍କିଙ୍ଗ୍ ହୋଇଥିବା ବେଳେ ଆଜି ରିପୋର୍ଟ ପ୍ରକାଶ ପାଇଛି।

ଏହି ରାଙ୍କିଙ୍ଗ୍ ୩ଟି ସ୍ତରରେ ହୋଇଥାଏ। ପ୍ରଥମେ ଦେଶର ପୂର୍ବ ଘୋଷିତ ଆକାଂକ୍ଷା ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତି ଆୟୋଗକୁ ଆବଶ୍ୟକୀୟ ତଥ୍ୟ ପ୍ରତ୍ୟେକ ମାସ ଦେବାକୁ ପଡିଥାଏ। ଏହି ତଥ୍ୟ ମିଳିବାପରେ କେନ୍ଦ୍ର ସରକାରଙ୍କ ଯାଞ୍ଚ ଏଜେନ୍ସି ଦ୍ଵାରା ଯାଞ୍ଚ କରାଯାଇଥାଏ। ଏଥି ସହ ଏକ ନିରପେକ୍ଷ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରିପୋର୍ଟ ମାଧ୍ୟମରେ ତାଲିକା ପ୍ରସ୍ତୁତ କରାଯାଇ ରାଙ୍କିଙ୍ଗ୍ ପ୍ରଦାନ କରାଯାଇଥାଏ। ତେବେ ପ୍ରତି ମାସରେ ୫ଟି ବିଭିନ୍ନ ବିଭାଗରେ ରାଙ୍କିଙ୍ଗ୍ ଦିଆଯାଇଥିବା ବେଳେ ଡିସେମ୍ବର-ଜାନୁଆରୀ ମାସ ମଧ୍ୟରେ ତାଲିକା ପ୍ରକାଶ ପାଇଥାଏ। ସେହିପରି ଦେଶର ୧୧୨ଟି ଜିଲ୍ଲା ମଧ୍ୟରୁ ଓଡିଶାର ୧୦ଟି ଜିଲ୍ଲା ଆକାଂକ୍ଷା ଜିଲ୍ଲା ତାଲିକାରେ ରହିଛି।