କେନ୍ଦ୍ର ତାଲିକାରେ ରାୟଗଡ଼ା ମେଡ଼ିକାଲ୍ କଲେଜର ନାମ ନାହିିଁ

ରାଜ୍ୟ ଦେଇନି ଡିପିଆର୍, ଅବଗତ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରାୟଗଡ଼ା,ଏନ୍ଏନ୍ଏସ୍: ଦେଶର ୧୧୨ ଆକାଂକ୍ଷା ଜିଲ୍ଲା‌ରେ ପର୍ଯ୍ୟାୟକ୍ରମେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ-ପ୍ରିଣ୍ଟ। କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟରେ ଦେଶରେ ୭୦ଟି ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରିଥିବା ବେଳେ ସେହି ତାଲିକାରୁ ବାଦ୍ ପଡିଛି ରାୟଗଡ଼ା ମେଡ଼ିକାଲ କଲେଜ। ରାଜ୍ୟ ସରକାର ଏନେଇ କୌଣସି ପ୍ରସ୍ତାବ ଓ ଡିପିଆର ପଠାଇ ନଥିବା ଯୋଗୁଁ ମେଡ଼ିକାଲ କଲେଜ ପ୍ରତିଷ୍ଠା ଶୀତଳ ଭଣ୍ଡାରକୁ ଚାଲିଯାଇଛି। ଏନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ସଂସଦରେ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଚିଠି ଲେଖି ଏହି ଉତ୍ତର ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୂଚନା ପରେ ଜିଲ୍ଲାରେ ସାଧାରଣରେ ଦେଖାଦେଇଛି ଅସନ୍ତୋଷ। ଏନେଇ ଏକ ଭିଡିଓ ବାର୍ତ୍ତାରେ ସାଂସଦ ସପ୍ତଗିରି ଉଲାକା ଜିଲ୍ଲାବାସୀଙ୍କ ଦାବିକୁ ରାଜ୍ୟ ସରକାର ଜାଣିଶୁଣି ଉପେକ୍ଷା କରିଥିବା କହିଛନ୍ତି। ତେଣୁ କୋରାପୁଟର ବିକାଶ ପାଇଁ ସଂସଦରେ ଲଢ଼େଇ ଜାରି ରହିବା ସହ ରାୟଗଡା ଜିଲ୍ଲାର ବିଧାୟକମାନେ ମଧ୍ୟ ବିଧାନସଭାରେ ଦାବି ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ସାଂସଦ ଶ୍ରୀ ଉଲାକା।
ଜିଲ୍ଲାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ନମିଳିବାରୁ ଗୁଣାତ୍ମକ ରୋଗୀସେବା ପାଇଁ ପଡୋଶୀ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି ଲୋକେ। ଜିଲ୍ଲା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ବିଶେଷଜ୍ଞଙ୍କ ନଥିବା ଯୋଗୁଁ ରୋଗୀଟିଏ ଆନ୍ଧ୍ରକୁ ଯାଇ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଓ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇ ଦେବାରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ ଅସମର୍ଥ ହୋଇଥିବାରୁ ଦୀର୍ଘଦିନ ହେଲା ରାୟଗଡାର ବୁଦ୍ଧିଜୀବୀ ସଂଗଠନ ଓ ଜିଲ୍ଲାବାସୀଙ୍କ ତରଫରୁ ଜିଲ୍ଲା ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡିକାଲ ସାଙ୍ଗକୁ ରାୟଗଡା ଠାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ସଂସଦର ବଜେଟ୍ ଅଧିବେଶନ ଶୂନ୍ୟକାଳରେ ସାଂସଦ ଶ୍ରୀ ଉଲାକାଙ୍କ ପ୍ରଶ୍ନର ଉତ୍ତର ଚିଠି ମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, କେବଳ କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଡିପିଆର ସବମିଟ୍ କରିଛନ୍ତି। ଏଭଳିକି ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କୌଣସି ସୁପାରିସ କିମ୍ବା ପ୍ରସ୍ତାବ ଅବା ଡିପିଆର କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ ଦେଇନଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୭୦ଟି ମେଡିକାଲ କଲେଜ ପାଇଁ ପଡୋଶୀ ରାଜ୍ୟର ସରକାରମାନେ ନିଜ ରାଜ୍ୟରେ ୫/୬ଟି ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଡିପିଆର ଦାଖଲ କରିଥିବା ବେଳେ ଓଡ଼ିଶା ସରକାର ଜାଣିଶୁଣି ଅବିଭକ୍ତ କୋରାପୁଟକୁ ଉପେକ୍ଷା କରିଛନ୍ତି ବୋଲି ସାଂସଦ ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି।
ଏପରିକି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାୟଗଡାରେ ମେଡିକାଲ କଲେଜର ଆବଶ୍ୟକତା ଥିବା ଦର୍ଶାଇ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଏହା ସତ୍ତ୍ୱେ ଓଡ଼ିଶା ସରକାର ନା ଡିପିଆର ନା ରାୟଗଡାରେ ମେଡିକାଲ କଲେଜ ପାଇଁ ସୁପାରିସ କରିଛନ୍ତି।

ସୂଚନାଯୋଗ୍ୟ କି ୨୦୧୪ ମସିହାରେ ୩୨୭.୪୦ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଥିଲେ। ଆନ୍ଧ୍ର ମେଡିକାଲ ଫର୍ମର ଚକ୍ରାନ୍ତ ସାଙ୍ଗକୁ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ରାୟଗଡ଼ାରେ ମେଡ଼ିକାଲ୍ କଲେଜ ବାସ୍ତବ ରୂପ ନେଇ ପାରିନଥିଲା। ତେବେ କେନ୍ଦ୍ରର ଆକାଂକ୍ଷା ଜିଲ୍ଲା ଘୋଷଣା ପରେ ପୁଣି ଥରେ ଆଶା ଦେଖାଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ ନ ହେବା ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି।