ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫ ତମ ଜନ୍ମ ଜୟନ୍ତି ପାଳିତ ହୋଇଛି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ସମେତ ବିଜେଡି କର୍ମକର୍ତ୍ତା ବଡ଼ମାଲସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଶାର ଜନନାୟକଙ୍କୁ ସ୍ମରଣ କରିଛନ୍ତି। ଓଡ଼ିଆ ଲୋକଙ୍କୁ ଏକଜୁଟ କରି ଓଡ଼ିଶାର ବିକାଶ କରିବା ପାଇଁ ବିଜୁ ବାବୁ ଜନ୍ମ ହୋଇଥିଲେ ଏବଂ ତାଙ୍କର ଏହି ଚିନ୍ତାଧାରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ବିଜୁ ବାବୁଙ୍କର ସ୍ୱପ୍ନର ଓଡ଼ିିଶା ନିର୍ମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ କରୁଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ସରକାରଙ୍କୁ ସହଯୋଗ କରିବାକୁ ପଡ଼ିିବ ବୋଲି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଛନ୍ତି।
ସେହିପରି ବ୍ରଜରାଜନଗର ଗୋଲ ଚକ୍କର ଛକ, ବେଲପୋହଡ଼ ଶନି ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ବାବୁଙ୍କ ୧୦୫ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଏହାସହ ବିଜୁ ବାବୁଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ଆଜି ବ୍ରଜରାଜନଗରଠାରେ ଏକ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଛି।