ରାୟଗଡ,ଏନ୍ଏନ୍ଏସ୍: ରାୟଗଡ଼ା ସଦର ନଦୀ କନ୍ଧ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଘର ଭିତରେ ପଶି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଏକ ଟ୍ରାକ୍ଟର ଘର କାମ ପାଇଁ ବାଲି ନେଇ ଯାଉଥିଲା। ଗଡାଣିଆ ରାସ୍ତା ହୋଇଥିବାରୁ ବାଲି ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଘର ଉପରକୁ ମାଡି ଯାଇଥିଲା। ଏହି ସମୟରେ ଜଣେ କଲେଜ ଛାତ୍ରୀ ଉକ୍ତ ଘରେ ଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ରାୟଗଡ଼ା ନଦୀ କନ୍ଧ ସାହିର ଝିଅ ତଥା ଲକ୍ଷ୍ମୀପୁର କଲେଜର ଛାତ୍ରୀ କୁନ୍ତଳା କୁଲେସିକା(୧୮) ବୋଲି ଜଣାପଡିଛି।
ଅନ୍ୟପଟେ ଏହି ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଶରତ କାଡ୍ରାକା ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପରିବାରବର୍ଗ କ୍ଷତିପୂରଣ ଦାବି କରୁଥିବା ଜଣାପଡ଼ିଛି।