ସୁଶାନ୍ତ ସିଂ ଡ୍ରଗ୍ସ ମାମଲାରେ ଏନସିବି ଦାଖଲ କଲା ଚାର୍ଜସିଟ୍ : ୩୩ ଆରୋପୀଙ୍କ ନାମ ସାମିଲ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହିତ ଜଡ଼ିତ ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚାର୍ଜସିଟ ଦାଖଲ କରିଛି। ଏନସିବି ଚାର୍ଜସିଟରେ ୩୩ ଅପରାଧୀଙ୍କ ନାମ ସାମିଲ କରିଛି। ଏଥିରେ ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ୍, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କ ବୟାନ ମଧ୍ୟ ଏନସିବି ସାମିଲ କରିଥିବା ଜଣାପଡ଼ିଛି। କିନ୍ତୁ ଏମାନଙ୍କୁ ଆରୋପୀ ତାଲିକାରେ ରଖାଯାଇନି କେବଳ ବୟାନ ହିଁ ଚାର୍ଜସିଟରେ ରହିଛି। ୩୦ ହଜାରରୁ ଅଧିକ ପୃଷ୍ଠାର ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି। ଏଥିରେ ୩୩ଜଣ ଆରୋପୀଙ୍କ ନାମ ସାମିଲ ଅଛି। ଜବତ କରାଯାଇଥିବା ଇଲେକଟ୍ରୋନିକ ଉପକରଣ ଓ ସମସ୍ତ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି।

ଚାର୍ଜସିଟରେ ରହିଥିବା ୩୩ ଆରୋପୀଙ୍କ ମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ, ସେମୁଏଲ ମିରାଣ୍ଡା, ଜେଦ ବେଲାତ୍ରା, ବାସିତ ପରିହାର, ସୂର୍ଯ୍ୟଦୀପ ମଲହୋତ୍ରା, କେଜାନ ଇବ୍ରାହିମ, ଅବାସ ଲଖାନୀ, କରଣ ଅରୋଡା ଓ ଗୌରବ ଆର୍ୟ୍ୟାଙ୍କ ନାମ ସାମିଲ ରହିଛି।