ମାଲକାନଗିରି,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ମାଲକାନଗିରିରେ ବର୍ତ୍ତମାନ ସୁଦ୍ଧା ମୋଟ ୧୧ହଜାର ୧୦୪ ଜଣ ଟିକା ନେଇ ସାରିଲେଣି। ଜିଲ୍ଲାରେ ମାର୍ଚ୍ଚ ୧ତାରିଖରୁ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ରୋଗରେ ପିଡ଼ୀତ ବ୍ୟକ୍ତି ବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଉଥିବାବେଳେ ଲୋକେ ସ୍ୱଇଚ୍ଛାରେ ଅତି ଉତ୍ସାହର ସହ ଟିକା ନେବାକୁ ଆଗେଇ ଆସୁଥିବା ଦେଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫,୧୫୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪,୬୬୫ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ଗ୍ରହଣ କରିଛନ୍ତି। ସେହିଭଳି ମୋଟ ୮,୩୦୧ ଜଣ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫,୬୪୬ ଜଣ ଟିକା ଗ୍ରହଣ କରିଛନ୍ତି।
ସେହିପରିି ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୫,୦୨୫୮ଜଣ ବରିଷ୍ଠ ନାଗରିକ ଓ ୧୭,୫୩୧ଜଣ ବହୁବିଧ ରୋଗରେ ପିଡ଼ୀତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଦିନରେ ୧୩୧ ଜଣ ବରିଷ୍ଠ ନାଗରିକ ଓ ୧୬ ଜଣ ବହୁବିଧ ରୋଗରେ ପିଡ଼ୀତ ବ୍ୟକ୍ତି ଟିକା ନେଇଛନ୍ତି। ଏଥିସହ ମାର୍ଚ୍ଚ ୨ ତାରିଖରେ ୫୬୬ ଜଣ ବରିଷ୍ଠ ନାଗରିକ ଓ ୮୦ ଜଣ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଟିକା ଗ୍ରହଣ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି।